୨ ଶହ ଟଙ୍କା ପାଇଁ ବାରଣ୍ଡାରେ ପଡ଼ିରହିଲା ଶବ

ବରଗଡ଼,ଏନ୍ଏନ୍ଏସ୍: ଦୁଇ ଶହ ଟଙ୍କା ପାଇଁ ୨ ଘଣ୍ଟା ଡାକ୍ତରଖାନାରେ ବାରଣ୍ଡାରେ ପଡ଼ିରହିଲା ଶବ । ଏମିତି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି । ଟଙ୍କା ଦେଇ ନ ପାରିବାରୁ ମହାପ୍ରୟାଣ ଗାଡ଼ି ଶବ ନେବାକୁ ରାଜି ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅମ୍ବାଭୋନା ବ୍ଲକ୍ ବେନିଆପାଲି ଗ୍ରାମର ଜନୈକା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତେବେ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପରିବାର ଲୋକେ ତାଙ୍କୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ଶବ ବ୍ୟବଚ୍ଛେଦ ପାଇଁ ସହର ମଧ୍ୟରେ ଥିବା ପୁରୁଣା ଡାକ୍ତରଖାନାକୁ ଅଣାଯିବାର ଆବଶ୍ୟକତା ଥିଲା। ମାତ୍ର ଶବ ନେବା ପାଇଁ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଥିବା ମହାପ୍ରୟାଣ ଗାଡ଼ିର ଡ୍ରାଇଭର ଦୁଇ ଶହ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି। ଫଳରେ ଡାକ୍ତରଖାନା ବାରଣ୍ଡାରେ ମୃତକଙ୍କ ଶବ ପ୍ରାୟ ୨ ଘଣ୍ଟା ପଡ଼ିରହିଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଶବ ଉଠିବା ସହ ପୁରୁଣା ଡାକ୍ତରଖାନାକୁ ଅଣାଯାଇଥିଲା। ଏହି ଘଟଣାଟି ମହାପ୍ରୟାଣ ଗାଡ଼ି କାହା ପାଇଁ ବୋଲି ପ୍ରଶ୍ନ ଉଠିଛି। ଏ ନେଇ ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।