ସରିଲା ନାକ ଟିମ୍‌ର ଉତ୍କଳ ବିଶ୍ବବିଦ୍ୟାଳୟ ପରିଦର୍ଶନ, ରାଙ୍କକୁ ଅପେକ୍ଷା

ଭୁବନେଶ୍ବର,ଏଜେନ୍ସି: ଉତ୍କଳ ବିଶ୍ଵବିଦ୍ୟାଳୟ ପରିଦର୍ଶନ କଲେ ୫ ଜଣିଆ ନାକ ଟିମ୍ । ୩ ଦିନ ଧରି ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବା ପରେ ଶୁକ୍ରବାର ନାକ ଟିମ୍ ବିଦାୟ ନେଇଛନ୍ତି । ଏଥର ବିଶ୍ବବିଦ୍ୟାଳୟକୁ ‘ଏ++’ ମାନ୍ୟତା ମିଳିବ ବୋଲି ଆଶା ରଖିଛନ୍ତି କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଗୁଣାତ୍ମକ ଶିକ୍ଷା ଦେବାରେ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବାରୁ ଏଥର ରାଙ୍କ ପୂର୍ବ ଅପେକ୍ଷା ଭଲ ରହିବ ବୋଲି କୁହାଯାଉଛି । ସବୁ କ୍ଷେତ୍ରରେ ସମୀକ୍ଷା କରିବା ପରେ ଶୁକ୍ରବାର ନାକ ଟିମର ପରିଦର୍ଶନ ଶେଷ ହୋଇଛି । ୩ ଦିନ ମଧ୍ୟରେ ନାକ ଦଳ ବିଶ୍ବବିଦ୍ୟାଳୟର ଏକାଡେମିକ, ଆଡମିନିଷ୍ଟ୍ରେସନ, ଭିତ୍ତିଭୂମି ଯାଞ୍ଚ କରିବା ସହ ବିଭାଗଗୁଡ଼ିକରେ ପାଠପଢା କିଭଳି ହେଉଛି ତାହା ଦେଖିଥିଲେ । ଏଥିସହ କେତେ ପିଲା ଗବେଷଣା କରୁଛନ୍ତି, ନୂଆ ଗବେଷଣାଗତ ଭିତ୍ତିଭୂମି, ବିଭାଗଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ବିଷୟ ତଦାରଖ କରିଥିଲେ ।

ଏହାବ୍ୟତୀତ କୁଳପତି, କୁଳସଚିବ, ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ବିତ୍ତ ନିୟନ୍ତ୍ରକ, ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ 5 ଜଣିଆ ନାକ ଟିମ୍ । ବିଶ୍ବବିଦ୍ୟାଳୟ ଉନ୍ନତିକରଣ ଲାଗି କଣ ସବୁ ଖସଡ଼ା ପ୍ରସ୍ତୁତ ହୋଇଛି ଓ ଆଗାମୀ ଦିନରେ ଆଉ କଣ ସବୁ ଯୋଜନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ କ୍ୟାମ୍ପସରେ ବ୍ୟାପକ ଉନ୍ନତିକରଣ କାର୍ଯ୍ୟ କରାଯାଇଛି । ସମସ୍ତ ବିଭାଗ, ଛାତ୍ରାବାସ ନବୀକରଣ, ରାସ୍ତାଘାଟ, କ୍ରୀଡ଼ା ଭିତ୍ତିଭୂମି, ଫାକଲ୍ଟି କ୍ଲବ ବିକାଶ କରାଯାଇଛି । ମୁଖ୍ୟ ଫାଟକଠାରୁ ଉନ୍ନତିକରଣର ଝଲକ ବିଶ୍ବବିଦ୍ୟାଳୟର କୋଣ ଅନୁକୋଣରେ ବାରି ହୋଇପଡୁଛି । ଏନେଇ ଏକ ସ୍ବତନ୍ତ୍ର ବୈଠକରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରାଯାଇଥିଲା ।