ମାଆ, ମାତୃଭାଷା ଓ ମାତୃଭୂମିକୁ ଭୁଲିଯିବା ଉଚିତ ନୁହେଁ: ଉପରାଷ୍ଟ୍ରପତି

‘ମାଇଁ ମଦର- ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମାଆ, ମାତୃଭାଷା ଓ ମାତୃଭୂମିକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ କହିଛନ୍ତି। ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମାଇଁ ମଦର – ମାଇଁ ହିରୋ’ ଇଂରାଜୀ ପୁସ୍ତକ ଶୁକ୍ରବାର ଓଡ଼ିଶା ରାଜଭବନଠାରେ ଉନ୍ମୋଚନ କରି ଏହା କହିଛନ୍ତି। ଶ୍ରୀ ନାଇଡୁ କହିଲେ, ଆମେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ ପଢ଼ିଛୁ ମାତ୍ର ଜଣେ ମାଆଙ୍କ ଜୀବନୀ ଲେଖାଯିବା ନିଶ୍ଚିତ ଭାବେ ସ୍ୱତନ୍ତ୍ର ଓ ପ୍ରେରାଣାଦାୟୀ। କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଗଣେଶୀଲାଲ୍‍ ଯୋଗଦେଇ କହିଥିଲେ, ଆମେ କେବଳ ମାନବସେବା କରିବା ନାହିଁ, ଆମେ ମାନବିକତାକୁ ମଧ୍ୟ ପୂଜା କରିବା ଉଚିତ। ଯଥେଷ୍ଟ କମ୍‍ ବୟସରେ ଶ୍ରୀ ସାମନ୍ତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଲେଖିଛନ୍ତି ବୋଲି ଗଣେଶୀଲାଲ୍‍ କହିଥିଲେ।

ସୂଚନାଯୋଗ୍ୟ, ଅଚ୍ୟୁତ ସାମନ୍ତଙ୍କ ମାଆ ନୀଳିମାରାଣୀ ନିଜ ସଂଘର୍ଷମୟ ଜୀବନ ମଧ୍ୟରେ ନିଜ ପିଲାଙ୍କୁ ସଫଳ ମଣିଷ କରି ଗଢ଼ି ତୋଳିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ମାଆଙ୍କ ଜୀବନାଦର୍ଶ ଓ ମୂଲ୍ୟବୋଧକୁ ଆଧାର କରି ଲେଖକ ଅଚ୍ୟୁତ ସାମନ୍ତ କିଭଳି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି ତାହା ହିଁ ଏହି ପୁସ୍ତକର ନିଷ୍କର୍ଷ। ନିଜ ବକ୍ତବ୍ୟରେ ଶ୍ରୀ ସାମନ୍ତ କହିଛନ୍ତି ସେ ସର୍ବଦା ନାରୀଶକ୍ତିକୁ ସମ୍ମାନ ଦେଇଛନ୍ତି। ନାରୀଶକ୍ତିର ପ୍ରଭାବ ସେ ପିଲାଟି ବେଳୁ ଅନୁଭବ କରିଆସିଛନ୍ତି। ନାରୀଶକ୍ତି ସର୍ବଦା ସମାଜର ଉନ୍ନତି କରିଆସିଛି। ନାରୀଶକ୍ତିକୁ ଯେତେ ସଶକ୍ତ କରାଯିବ ଦେଶ ଓ ସମାଜର ସେତିକି ଉନ୍ନତି ହେବ ବୋଲି ଶ୍ରୀ ସାମନ୍ତ ବିଶ୍ୱାସ କରନ୍ତି । ଶ୍ରୀ ସାମନ୍ତଙ୍କ ପୁସ୍ତକଟି ନାରୀଶକ୍ତିକୁ କେନ୍ଦ୍ରକରି ଲେଖାଯାଇଛି। ଏହି ନାରୀଶକ୍ତିକୁ ବ୍ୟାଖ୍ୟା କରିବାକୁ ଯାଇ ଶ୍ରୀ ସାମନ୍ତ ନିଜ ମାଆଙ୍କ ଉଦାହରଣ ନେଇଛନ୍ତି। ନୀଳିମାରାଣୀ ଦେବୀଙ୍କ ଉଦ୍ୟମ, ଆଦର୍ଶ ଓ ପ୍ରେରଣା ଯୋଗୁଁ କଟକ ଜିଲ୍ଲାର ନିପଟ ମଫସଲ ଗାଁଆ କଲରାବାଙ୍କ ଦେଶର ପ୍ରଥମ ଆଦର୍ଶ ଗ୍ରାମ ଓ ପରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଏବଂ ମାଣପୁର କିଭଳି ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହୋଇପାରିଛି ସେ ସଂପର୍କରେ ଏହି ପୁସ୍ତକରେ ବିଶେଷ ଆଲୋଚନା କରାଯାଇଛି।

ମାତ୍ର ୪୦ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ଅଚ୍ୟୁତଙ୍କ ମାଆ ନୀଳିମାରାଣୀ ଦେବୀ ସଂପୂର୍ଣ୍ଣ ଅସହାୟ, ନିରାଶ୍ରୟ ଓ ବେସାହାରା ହୋଇପଡ଼ିଥିଲେ। ଏକ ଟ୍ରେନ୍‍ ଦୁର୍ଘଟଣାରେ ଅଚ୍ୟୁତଙ୍କ ପିତା ଅନାଦି ଚରଣଙ୍କ ଅକାଳ ମୃତ୍ୟୁପରେ ନୀଳିମାରାଣୀଙ୍କ ଚତୁର୍ପାଶ୍ୱର୍ ଅନ୍ଧକାର ହୋଇଯାଇଥିଲା। ନିଜର ଦୃଢ଼ ମନୋବଳ, ନିଷ୍ଠା, ସଂଘର୍ଷ ମଧ୍ୟରେ ଜୀବନ ଅତିବାହିତ କରି ଶେଷ ଜୀବନ ପର୍ଯ୍ୟନ୍ତ ନିଜ କନିଷ୍ଠ ପୁତ୍ର ଅଚ୍ୟୁତଙ୍କ ମାଧ୍ୟମରେ ସ୍ମାର୍ଟ ଗ୍ରାମ କଲରାବାଙ୍କ ଓ ସ୍ମାର୍ଟ ପଞ୍ଚାୟତ ମାଣପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ରଖିଥିଲେ। ମୋଟାମୋଟି ଭାବେ ନୀଳିମାରାଣୀ ଦେବୀଙ୍କ ସଂଘର୍ଷମୟ ଜୀବନ ସହ ଅଚ୍ୟୁତ ପ୍ରତି ନୀଳିମାରାଣୀଙ୍କ ଅବଦାନ ହିଁ ପୁସ୍ତକର ମୁଖ୍ୟ ବିଷୟବସ୍ତୁ।