ଏଣିକି ରାଜ୍ୟରେ ତିଆରି ହେବ ଇ-ଯାନ, ଏନେଇ ପଲିଟେକ୍ନିକ୍‌ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଉପଯୁକ୍ତ ତାଲିମ

ଭୁବନେଶ୍ୱର,ଏନ୍ଏନ୍ଏସ୍: କାଲିର ଭବିଷ୍ୟତ ଇଲେକ୍ଟ୍ରିକ୍ ଭେହିକିଲ୍। ଭୁବନେଶ୍ବରରେ ଉତ୍ପାଦନ ହେବ ବିଦ୍ୟୁତ ଚାଳିତ ଯାନ । ସରକାରୀ ପଲିଟେକ୍ନିକ୍ କଲେଜରେ ପ୍ରତିଷ୍ଠା ହେବ ବିଦ୍ୟୁତ ଚାଳିତ ଯାନ ଉତ୍ପାଦନ ଓ ତାଲିମ କେନ୍ଦ୍ର। ବିଶ୍ବ ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ସରକାରୀ ପଲିଟେକ୍ନିକ୍ କଲେଜ୍ ଓ ସ୍କାଏ ରାଇଡର ଇଲେକ୍ଟ୍ରିକ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି।

ପଲିଟେକ୍ନିକ୍ କଲେଜ୍ରେ ଛାତ୍ରଛାତ୍ରୀଙ୍କୁ ୧୬ରୁ ଅଧିକ ପ୍ରକାର ଇ-ଭେଇକିଲ୍ ଉତ୍ପାଦନ ପାଇଁ ତାଲିମ ଦିଆଯିବ। ଏଠାରେ ବ୍ୟବସାୟିକ ଯାନ, ମେଡିକାଲ ଓ ପରିବହନ ସେବାରେ ବ୍ୟବହାର ଉପଯୋଗୀ ଯାନ ପ୍ରସ୍ତୁତ କରାଯିବ। ତାଲିମ ପରେ ଛାତ୍ରଛାତ୍ରୀ ଇ-ଭେଇକିଲ୍ ଉତ୍ପାଦନ ସହ ମରାମତି କରିବା ପାଇଁ ସକ୍ଷମ ହୋଇପାରିବେ। ଏହାସହ ବିଭିନ୍ନ ଇ-ଭେଇକିଲ କମ୍ପାନୀରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବ।

ସେହିପରି କଲେଜ୍ ପରିସରରେ ପ୍ରତିଷ୍ଠା ହେବ ଡ୍ରୋନ୍ ଉତ୍ପାଦନ ଓ ତାଲିମ ୟୁନିଟ୍। ଏଥିପାଇଁ ଏରୋ ରୋଭର୍ସ୍ ପ୍ରାଇଭେଟ୍ ଲିମିଟେଡ୍ ସହିତ ଏମ୍ଓୟୁ ସ୍ବାକ୍ଷାରିତ ହୋଇଛି। ଗ୍ରାଜୁଏଟ୍ ଇଞ୍ଜିନିୟରଙ୍କୁ ଉଚ୍ଚତର ଶିକ୍ଷା ଓ ତାଲିମ ପାଇଁ ୮୦ରୁ ଅଧିକ ଦକ୍ଷତା ବିକାଶ ତାଲିମ ଦିଆଯିବ। ଅଟୋମୋଟିଭ୍, ଇଲେକ୍ଟ୍ରିକ୍ ଭେଇକିଲ୍, ସଫ୍ଟ୍ଓ୍ବେର ବିକାଶ, ଶିଳ୍ପଭିତ୍ତିକ ରୋବୋଟ, ଡ୍ରୋନ୍, ମେକାଟ୍ରୋନିକ୍ସରେ ଭୁବନେଶ୍ବର ସରକାରୀ ପଲିଟେକନିକ୍ କଲେଜରୁ ବାର୍ଷିକ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ୩ଟି କମ୍ପାନୀ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।