ଯୁବତୀଙ୍କ ଠାରୁ ମୋବାଇଲ ଓ ପର୍ସ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀରେ ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି । ପୂର୍ବରୁ ଫାଙ୍କା ଜାଗା ଦେଖି ଲୁଟ୍ କରୁଥିବାବେଳେ ଏବେ ଜନଗହଳି ସ୍ଥାନକୁ ବି ଛାଡୁନାହାନ୍ତି । ରବିବାର ଏସ୍‌ପ୍ଲାନେଡ୍ ମଲ୍ ନିକଟରୁ ଜଣେ ଯୁବତୀଙ୍କ ଠାରୁ ଲୁଟ୍ ହୋଇଛି । ଦୁଇଜଣ ଯୁବକ ଏକ ବାଇକ୍‌ରେ ଆସି ଯୁବତୀଙ୍କ ମୋବାଇଲ୍ ସମେତ ମନିପର୍ସ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ସମ୍ପୃକ୍ତ ଯୁବତୀ ଜଣଙ୍କ ହେଲେ ବମିଖାଲ ଅଞ୍ଚଳରେ ରହୁଥିବା ଚିନ୍ମୟୀ ସ୍ୱାଇଁ(୨୫) । ଏନେଇ ସେ ସହିଦନଗର ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

ଅଭିଯୋଗ ଅନୁସାରେ, ଚିନ୍ମୟୀଙ୍କ ବମିଖାଲ ଅଞ୍ଚଳରେ ଥିବା ଏକ ଆଇଟି ସେକ୍ଟରରେ କାମ କରନ୍ତି । ରବିବାର ସନ୍ଧ୍ୟା ୬ଟା ୧୫ମିନିଟ୍ ସମୟରେ ସେ ଆଉ ତାଙ୍କ ସାଙ୍ଗ ଏସ୍‌ପ୍ଲାନେଡ୍ ମଲ ଅଭିମୁଖେ ଆସୁଥିଲେ । ଏହି ସମୟରେ ସିବିଜେଡ୍ ବାଇକରେ ଦୁଇଜଣ ଯୁବକ ତାଙ୍କ ପିଛା କରିଥିଲେ । ସେ ମଲ୍‌ର କିଛି ମିଟରେ ଦୂରତାରେ ଥିବାବେଳେ ଲୁଟେରାଦ୍ୱୟ ତାଙ୍କ ନିକଟକୁ ଆସି ମୋବାଇଲ ସମେତ ମନିପର୍ସ ଛଡ଼ାଇ ନେଇଥିଲେ । ମନିପର୍ସରେ ୪ହଜାର ଟଙ୍କା ସମେତ ଏଟିଏମ୍ କାର୍ଡ ଓ ଦରକାରୀ କାଗଜପତ୍ର ଥିଲା । ଏହାପରେ ସେମାନେ ରଙ୍ଗ୍ ରୁଟ୍‌ରେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଚିଲାଇଥିଲେ ମଧ୍ୟ ଲୁଟେରାଙ୍କୁ କେହି ଧରିପାରିନଥିଲେ । ଏହାପରେ ସେମାନେ ପୁଲିସକୁ ଫୋନ୍ କରିଥିଲେ । ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଞ୍ଚି ଯୁବତୀଙ୍କୁ ଲୁଟ୍ ସମ୍ପର୍କରେ ପଚରାଉଚରା କରିଥିଲା । ଏହାପରେ ଚିନ୍ମୟୀ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।