ମୋ ବସର ଦୈନିକ ଯାତ୍ରୀଙ୍କ ସଂଖ୍ୟା ଲକ୍ଷେ ଟପିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦିନକୁ ଦିନ ମୋ ବସ୍ରେ ଯାତ୍ରା କରିବା ପାଇଁ ଲୋକମାନେ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ଲୋକଙ୍କ ଆବଶ୍ୟକତା ପୂରଣ ଓ ନୂଆ ଧରଣର ସୁବିଧା ଦେବା ପାଇଁ କ୍ରୁଟ ପକ୍ଷରୁ ବିଭିନ୍ନ ପଦକ୍ଷପ ନିଆଯାଉଛି। ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟ ଗାଡ଼ି ତୁଳନାରେ ମୋ ବସ୍ରେ ଯାତ୍ରା କରିବା ପାଇଁ ବେଶି ପସନ୍ଦ କରୁଛନ୍ତି। ଏହି କ୍ରମରେ ମୋ ବସ୍ ଏକ ମାଇଲଖୁଣ୍ଟ ଅତିକ୍ରମ କରିଥିବା ବେଳେ ଗତ ୧୪ ତାରିଖ ଦିନ ଏହାର ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷ ଟପିଛି। ମୋ ବସ୍ ସେବା ଆରମ୍ଭ ହେବାର ମାତ୍ର ବର୍ଷକ ମଧ୍ୟରେ ଏହି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ କ୍ରୁଟ୍ ବେଶ ଉତ୍ସାହିତ ଅଛି। କ୍ରୁଟ୍ର ସୂଚନା ଅନୁଯାୟୀ, ୧୪ ତାରିଖ ୧ ଲକ୍ଷ ୧ ହଜାର ୮୮୧ ଜଣ ଯାତ୍ରୀ ସେମାନଙ୍କର ଗନ୍ତବ୍ୟ ସ୍ଥଳକୁ ମୋ ବସ୍ରେ ଯାତ୍ରା କରିଥିଲେ। ରାଜଧାନୀର ଲୋକମାନଙ୍କୁ ସୁବିଧାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହା ନଭେମ୍ବର ମାସ ୬ ତାରିଖ ଦିନ ମୋ ବସ୍ ସେବାର ଶୁଭାରମ୍ଭ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ ତଥା ଏହି ଲକ୍ଷ୍ୟକୁ ଆଗକୁ ନେଇ ତାଙ୍କ ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରିଥିବାରୁ କ୍ରୁଟ୍ ଅତ୍ୟନ୍ତ ଖୁସି ବୋଲି କ୍ରୁଟ୍ର କାର୍ମିକ ଏବଂ ପ୍ରଶାସନିକ ବିଭାଗର ମହା ପ୍ରବନ୍ଧକ ତଥା ମୁଖପାତ୍ର ଦିପ୍ତୀ ମହାପାତ୍ର କହିଛନ୍ତି।