ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପାଇଁ ‘ମୋ ବସ୍‌’

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ସମୟରେ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ମୋ ବସ୍ ସେବା ଯୋଗାଇ ଦିଆଯିବ । ଏ ନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଶନିବାର ଅପରାହ୍ଣରେ ଏନେଇ କ୍ରୁଟ୍ ପକ୍ଷରୁ ଟୁଇଟ୍ କରାଯାଇ କୁହାଯାଇଛି ଯେ, କଟକ ଭୁବନେଶ୍ୱରରେ ସେଣ୍ଟର ପଡ଼ିଥିବା ପରୀକ୍ଷାର୍ଥୀ ମୋ ବସରେ ନିଜ ନିଜ ସେଣ୍ଟରକୁ ସୁବିଧାରେ ଯାଇପାରିବେ । ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୪ ତାରିଖ ସକାଳ ୬ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ମୋ ବସ୍ ପରୀକ୍ଷାର୍ଥୀଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯିବ । ରୁଟ୍ ନମ୍ବର ୧୬ ଓ ୧୮ରେ ମୋ’ବସ୍ ସେବା ମିଳିବା ନେଇ ସୂଚନା ଦିଆଯାଇଛି । ଏହି ୨ଟି ରୁଟରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ବସ୍ ଚଳାଚଳ କରିବ । ସେହିପରି କଟକରେ ଅପରାହ୍ଣ ୪ଟା ୫୦ରୁ ୫ ଟା ୩୫ ଯାଏଁ ମୋ ବସ୍ ସୁବିଧା ମିଳିପାରିବ । ଏହି ରୁଟ୍‌ରେ ପ୍ରତି ୧୫ ମିନିଟ ବ୍ୟବଧାନରେ ବସ୍ ସୁବିଧା ମିଳିପାରିବ ।

୧୬ ନମ୍ବର ରୁଟରେ ବସ୍ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ଜାତୀୟ ରାଜପଥ ଦେଇ କଟକ ବିଜୁ ପଟ୍ଟନାୟକ ପାର୍କ ଯାଏଁ ଯିବ । ସେହିପରି ୧୮ ନମ୍ବର ରୁଟ୍‌ରେ ବସ୍ ବରମୁଣ୍ଡାରୁ ଆଇଏସ୍‌ବିଟିରୁ ବାହାରି ଜୟଦେବ ବିହାର ଦେଇ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ବ୍ରିଜ୍‌, ହାଇକୋର୍ଟ ରୋଡ୍‌, ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଲିଙ୍କ୍ ରୋଡ୍‌, ଜଗତପୁରରେ ପହଞ୍ôଚବ ବୋଲି କ୍ରୁଟ୍ ପକ୍ଷରୁ ପ୍ରକାଶ ପାଇଛି । ଏହି ପଦକ୍ଷେପ ଦ୍ୱାରା ଅନେକ ପରୀକ୍ଷାର୍ଥୀ ଲାଭାନ୍ୱିତ ହୋଇପାରିବେ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍ ଅରୁଣ ବୋଥ୍ରା ଆଶା ପ୍ରକାଶ କରିଛନ୍ତି ।