ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ: ୧ଲକ୍ଷ ୫୦ ହଜାର ଟଙ୍କା ଜୋରିମାନା ଆଦାୟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏନଫୋର୍ସମେଣ୍ଟ ଟିମ୍ ଜୋରାଦାର ଚଢ଼ଉ ଆରମ୍ଭ କରିଛି। ଏହିକ୍ରମରେ ଆଜି ପାଟଣା ତହସିଲ ଅନ୍ତର୍ଗତ ଡୁମୁରିଆ ଆରଆଇ ସର୍କଲ କୋଠାଘର ନିକଟରୁ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଏବଂ ମହୁଲଡ଼ିହା ଗ୍ରାମରୁ ୨ଟି ବେଆଇନ ପଥର ବୋଝେଇ ଗାଡ଼ିକୁ ପାଟଣା ଏନଫୋର୍ସମେଣ୍ଟ ଟିମ୍ ଚଢ଼ଉ କରି ୩୫ ହଜାର ୨୦ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି। ଏହି ଚଢ଼ଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ସୁପରଭାଇଜର ବନମାଳି ନାୟକ, ଡୁମୁରିଆ ଆରଆଇ ସ୍ମୃତିରଞ୍ଜନ ଧୀର, ମୂଷାଖରୀ ଆରଆଇ ସାର୍ଥକ ସାରଥୀ ବାରିକ ଓ ପାଟଣା ଆରଆଇ ସତ୍ୟବ୍ରତ ସାହୁ ପ୍ରମୁଖ ସାମିଲ ଥିଲେ।

ସେହିପରି ତହସିଲଦାର ତାପସ ରଞ୍ଜନ ଦେହୁରୀ ତୁରୁମୁଙ୍ଗା ଆରଆଇ ସର୍କଲର ତେନ୍ତେଳା ଗ୍ରାମରେ ଗଚ୍ଛିତ ଥିବା ବେଆଇନ ବାଲି ଡିପୁରୁ ୫୦ ହଜାର ଟଙ୍କା ଏବଂ ରାଜନଗର ଆରଆଇ ସର୍କଲ ମୁରୁସୁଆଁରେ ଗଛିତ ଥିବା ବେଆଇନ ବାଲି ଡିପୁରୁ ୬୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ତହସିଲଦାରଙ୍କ ଘନ ଘନ ଚଢ଼ଉକୁ ନେଇ ଏବେ ପାଟଣା ଅଞ୍ଚଳର ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।