ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କ ବିବାହ ଅବୈଧ: କୋଲକାତା କୋର୍ଟ

କୋଲକାତା,ଏଜେନ୍ସି: ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ଓ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହକୁ କୋଲକାତା କୋର୍ଟ ଆଇନତଃ ଅବୈଧ ବୋଲି କହିଛନ୍ତି। ନୁସରତ ଜୁନ ୨୦୧୯ରେ ନିଖିଲଙ୍କୁ ତୁର୍କିରେ ବିବାହ କରିଥିଲେ। ତେବେ ସେମାନଙ୍କ ବିବାହର କିଛି ଦିନ ପରେ ସମ୍ପର୍କରେ ଫାଟ ପଡିଥିଲା। ଏପରିକି ନିଖିଲଙ୍କୁ ସେ କେବେ ବିବାହ କରିନଥିବା ନୁସରତ କହିଥିଲେ। ନୁସରତ ଜହାଁ ମୁସଲମାନ ହୋଇଥିବା ବେଳେ ନିଖିଲ ଜୈନ ହିନ୍ଦୁ। ସେମାନେ ସିଭିଲ ମ୍ୟାରେଜ ଆକ୍ଟ ଅନୁସାରେ ବିବାହ ପଞ୍ଜିକରଣ କରିବାର ଥିଲା। ତେବେ ସେମାନେ ସେପରି କିଛି କରି ନାହାନ୍ତି।

ଏଣୁ କୋର୍ଟ ସେମାନଙ୍କ ବିବାହକୁ ଅବୈଧ ବୋଲି କହିଛନ୍ତି। ନୁସରତ ବସିରହାଟ ସଂସଦୀୟ ନିର୍ବାଚନମଣ୍ଡଳିରୁ ତୃଣମୂଳ କଂଗ୍ରେସର ସାଂସଦ। ଲୋକସଭା ୱେବସାଇଟ୍‌ରେ ନୁସରତ ଜହାଁ ସ୍ୱାମୀ ନିଖିଲ ଜୈନ ଉଲ୍ଲେଖ ରହିଛି। କିଛିମାସ ପୂର୍ବେ ନୁସରତ ମା ହୋଇଥିଲେ। ଖବର ପ୍ରଚାରିତ ହେବା ପରେ ନିଖିଲ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ସେ ନୁସରତଙ୍କ ପିଲାର ପିତା ନୁହନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ। ନୁସରତ ଓ ତାଙ୍କ ସହ ଅଭିନେତା ୟଶ ଦାସଗୁପ୍ତା ଆଜିକାଲି ଖୁବ୍ ନିକଟତର ହୋଇଛନ୍ତି। ୟଶ ମଧ୍ୟ ନୁସରତ ଓ ତାଙ୍କ ଶିଶୁର ବେଶ ଯତ୍ନ ନେଉଥିବାର ଦେଖା ଯାଉଛି।

ନିଖିଲଙ୍କ ସହ ବିବାହ ପରେ ନୁସରତ ଜହାଁ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଥିଲେ। ସେମାନେ ତୁର୍କିରେ ବିବାହ କରି ଫେରିବା ପରେ କୋଲକାତାରେ ଭବ୍ୟ ଭୋଜିର ମଧ୍ୟ ଆୟୋଜନ କରିଥିଲେ। ଏହି ଭୋଜିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯାଇଥିଲେ। ତେବେ ପରେ ନୁସରତ ଆମର ଧର୍ମ ପୃଥକ ଓ ଆମେ ସିଭିଲ ମ୍ୟାରେଜ ଆକ୍ଟରେ ବିବାହ କରିନଥିବା କହିଥିଲେ।