କଳାହାଣ୍ଡି: ମମିତା ମେହେର ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି। ଏନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ପ୍ରେସମିଟରେ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ମମିତାଙ୍କୁ ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ ସାହୁ କାର ଭିତରେ ହିଁ ହତ୍ୟା କରିଥିଲା। କିନ୍ତୁ ତଣ୍ଟି ଚିପି ମାରିଛି କି ନାହିଁ ସେନେଇ ତଦନ୍ତ ଚାଲିଛି। ଗୋବିନ୍ଦର ପରକୀୟା ପ୍ରୀତି ସମ୍ବନ୍ଧରେ ମମିତା ପ୍ରଘଟ କରିଦେବେ ବୋଲି ଧମକ ଦେବା ପରେ ସେ ଏଭଳି ହତ୍ୟାକାଣ୍ଡ ଭିଆଇଥିଲା। ଗୋବିନ୍ଦଙ୍କ ପରକୀୟା ସମ୍ପର୍କ ସମ୍ବନ୍ଧରେ ମମିତା ଜାଣିଥିଲେ। ସେଥିପାଇଁ ମମିତାଙ୍କୁ ମାରିବା ପାଇଁ ଗୋବିନ୍ଦ ଯୋଜନା କରିଥିଲା। ଯୋଜନା ମୁତାବକ, ହତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ପୋଡ଼ି ଦେଇଥିଲା। କାର୍ଡବୋର୍ଡ, ଟାୟାର ଆଦି ପକାଇ ମୃତଦେହକୁ ଜାଳି ଦେଇଥିଲା। ଘଟଣା ପରଦିନ ସକାଳେ ଉକ୍ତ ଗାତଟିକୁ ପୋତି ଦେଇଥିଲା। ଏଥିସହିତ ଘଟଣାରେ ଆଉ କାହାରି ସମ୍ପୃକ୍ତି ଅଛି କି ନାହିଁ ସେନେଇ ତଦନ୍ତ ଚାଲିଥିବା ଡିଆଇଜି କହିଛନ୍ତି।