ବସ୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ: ମହିଳା ସିଟ୍‌ରେ ପୁରୁଷ ବସିଲେ ଜୋରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍:ଘରୋଇ ବସ୍‌ ତଥା ମୋ ବସରେ ମହିଳା ଯାତ୍ରୀମାନଙ୍କୁ ଅନେକ ସମୟରେ ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ୁଛି। ଏ ନେଇ କମିସନରେଟ ପୁଲିସ ପକ୍ଷରୁ ନିଯୁକ୍ତ ଏସପିଓମାନେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିଛନ୍ତି। ଏ ନେଇ କମିସନର ମୋ ବସର ନିର୍ଦ୍ଦେଶକ ଅରୁଣ ବୋଥ୍ରା ଓ ବିଭିନ୍ନ ବସ୍‌ ମାଲିକ ସଂଘଙ୍କୁ ଡାକି ଏକ ବୈଠକରେ ଆଲୋଚନା କରିଥିଲେ। ମହିଳା ଯାତ୍ରୀଙ୍କ ପ୍ରତି କିଭଳି ଉତ୍ତମ ବ୍ୟବହାର ଦିଆଯିବ ସେନେଇ ଆଲୋଚନା କରାଯାଇଥିଲା।

ମହିଳା ଏସପିଓମାନେ ଅଭିଯୋଗ କରିଥିଲେ ଯେ, ବସ୍‌ ଡ୍ରାଇଭର ଜାଣିଶୁଣି ହଠାତ୍‌ ବ୍ରେକ୍‌ ମାରିବା ଦ୍ୱାରା କଣ୍ଡକ୍ଟର ଝିଅଙ୍କ ଉପରେ ପଡିଯାଉଛନ୍ତି। ଏଭଳି ଅଭିଯୋଗରେ ତୁରନ୍ତ ତଦନ୍ତ କରାଯାଇ ଡ୍ରାଇଭରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏଥିସହ ବସ୍‌ ମାଲିକ ଓ କଣ୍ଡକ୍ଟରଙ୍କୁ ତାଗିଦ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି।

ଏଭଳି ଦୁର୍ବ୍ୟବହାରକୁ ରୋକିବା ପାଇଁ ମୋ ବସର ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ କହିଛନ୍ତି। ନଚେତ୍‌ ଏନେଇ ଜାରି କରାଯାଇଥିବା ଟୋଲ ଫ୍ରି ନଂ-୦୬୭୪-୨୫୪୩୫୪୧କୁ ଫୋନ୍‌ କରିପାରିବେ ଅଥବା ୧୦୦କୁ କଲ କରି ଜଣାଇବେ। ଏହି ଟୋଲ ଫ୍ରି ନମ୍ବର ସବୁ ବସ୍‌ରେ ଲଗାଯିବ। ଏଥିସହ ପୁରୁଷ ଯାତ୍ରୀ ମହିଳା ସିଟରେ ବସିଲେ ଫାଇନ ଦେବାକୁ ପଡ଼ିବ। ଏହାସହ ମୋ ବସ୍‌ରେ ଥିବା ୭୦ ମହିଳା କଣ୍ଡକ୍ଟରକୁ ଏସପିଓ ହ୍ୱାଟ୍ସଆପ୍‌ ଗ୍ରୁପରେ ଯୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।