ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ

କଟକ,ଏନ୍ଏନ୍ଏସ୍: ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜନୀତି ସରଗରମ ଥିବା ବେଳେ ବିଜେପି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଅପରପକ୍ଷେ ଏହି ଘଟଣାରେ ୧୩ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚିଛି। ଗତ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଚୈତନ୍ୟ ସେଠୀ ନାମକ ଆଉ ଜଣେ ଅଭିଯୁକ୍ତଙ୍କୁ କଟକ ନୂଆପାଟଣାରୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୁଲିସ।

ଜଣେ ବରିଷ୍ଠ ବିଜେପି ନେତା ଓ ସହଯୋଗୀଙ୍କ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଓଡିଶାରେ ପହଞ୍ଚିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ବିଜେପି ଟିମ୍ ସହ ପୁରନ୍ଦେଶ୍ୱରୀ ମୃତ କୁଳମଣି ବରାଳଙ୍କ ଗାଁ ନୃର୍ତ୍ତାଙ୍ଗ ଯିବାର କାର୍ଯ୍ୟକ୍ରମ ରହିଛି। ପୁରନ୍ଦେଶ୍ୱରୀଙ୍କ ପୂର୍ବରୁ ରାଜ୍ୟ ବିଜେପି ସହ-ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ମାହାଙ୍ଗା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ୫ ଅଭିଯୁକ୍ତଙ୍କୁ କଟକ ଗ୍ରାମାଞ୍ଚଳ ପୁଲିସ୍‌ ଗିରଫ କରିଥିଲା। ସେମାନେ ହେଲେ ପଞ୍ଚାନନ ସେଠୀ, ଜଙ୍କୋଟି ଗାଁର ଅରବିନ୍ଦ ଖଟୁଆ ଏବଂ ନୃତ୍ତଙ୍ଗ ଗାଁର କ୍ଷିତୀଶ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଓ କୈଳାସ ଖଟୁଆ।