ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି କରିବା ସହ ଓଡ଼ିଶା ସରକାରଙ୍କ ଆବେଦନ ଆଧାରରେ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ଚୂଡ଼ାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକର ଏହି ଶୁଣାଣି କରିଥିବାବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ ଓଡ଼ିଶା ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି), ଭାରତ ପାଣିପାଗ ବିଭାଗ(ଆଇଏମଡି) ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ସଂସ୍ଥାରୁ କିଛି ତଥ୍ୟ ପାଇଁ ଆବେଦନ କରାଯାଇଥିବାରୁ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ସେହିପରି କାବେରୀ ଓ କ୍ରୀଷ୍ଣା ଜଳ ବିବାଦକୁ ଆଧାର କରି ମହାନଦୀ ଜଳ ବିବାଦର ସମସ୍ତ ନଥିପତ୍ର ଓ ତଥ୍ୟକୁ ଗୋଟିଏ ସାଧାରଣ ଫର୍ମାଟରେ ପଞ୍ଜିକୃତ କରାଯିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୧ ତାରିଖରେ ଟ୍ରିବ୍ୟୁନାଲରେ ଏନେଇ ଶୁଣାଣି ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରିପାରି ନଥିଲା। ଶୁଣାଣି ବେଳେ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ମୂଳ ମାମଲାରେ ଇସ୍ୟୁ ଫ୍ରେମ୍ କରିବା ପାଇଁ ଦୁଇ ରାଜ୍ୟମାନଙ୍କ ମଧ୍ୟରେ ସହମତି ହୋଇ ନପାରିବାରୁ ଟ୍ରିବ୍ୟୁନାଲ ଦ୍ୱାରା ପ୍ରସଙ୍ଗ ଗୁଡ଼ିକର ନିର୍ଦ୍ଧାରଣ କରାଯାଇଥିଲା।
ଗତ ମାସରେ ପ୍ରଥମଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଶୁଣାଣିରେ ୩୬ଟି ପ୍ରସଙ୍ଗକୁ ନିର୍ଦ୍ଧାରଣ କରାଯାଇଥିଲା। ସେଥିମଧ୍ୟରୁ ୨୩ଟି ପ୍ରସଙ୍ଗ ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ବେଳେ ୧୩ଟି ଛତିଶଗଡ଼ ପକ୍ଷରୁ ଦାଖଲ ହୋଇଛି।