୨୬ରେ ରିଲିଜ୍ ହେବ ‘ଲଭ୍ ଟ୍ୱିଷ୍ଟ’

ଭୁବନେଶ୍ୱର, ଏନ୍ଏନ୍ଏସ୍ : ସେପ୍ଟେମ୍ବର ୨୬ ତାରିଖରେ ମୁକ୍ତିଲାଭ କରିବ ପ୍ରେମ ଆଧାରିତ ନୂଆ ଓଡ଼ିଆ ସିନେମା ‘ଲଭ୍ ଟ୍ୱିଷ୍ଟ’। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅନନ୍ତ ଭାରତୀ କ୍ରିଏସନ୍ ବ୍ୟାନରରେ ପ୍ରସ୍ତୁତ ଏ ଫିଲ୍ମର ପ୍ରଯୋଜନା କରିଛନ୍ତି ଅନନ୍ତ କୁମାର ସାମଲ। ଫିଲ୍ମର ମୁଖ୍ୟ ନାୟକ ଚରିତ୍ରରେ ଅଛନ୍ତି ନବାଗତ ଦେବ୍। ତାଙ୍କ ବିପକ୍ଷରେ ନାୟିକା ଭାବେ ଦର୍ଶକଙ୍କ ସାମ୍ନାକୁ ଆସିବେ ମନସ୍ମିତା। ଫିଲ୍ମର ଅନ୍ୟାନ୍ୟ ଚରିତ୍ରରେ ମିହିର ଦାସ, ପୁଷ୍ପା ପଣ୍ଡା, କାଳିଚରଣ ଆଚାର୍ଯ୍ୟ, ପିଣ୍ଟୁ ନନ୍ଦ, ପ୍ରଜ୍ଞା ଖଟୁଆ ପ୍ରମୁଖ ଦେଖିବାକୁ ମିଳିବେ। ବାପୁ ଗୋସ୍ୱାମୀ ଓ ଡଃ ନିର୍ମଳ ନାୟକ ଗୀତ ରଚନା କରିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୁଶୀଲ ଦଳାଇ। କାହାଣୀ, ସଂଳାପ, ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିଦାନନ୍ଦ ସାମଲ। ହ୍ୟୁମାନ ସାଗର, ଅସୀମା ପଣ୍ଡା, ସଞ୍ଜୁ, ବିଷ୍ଣୁମୋହନ କବି, ତାରିକ ଅଜିଜ୍ ପ୍ରମୁଖଙ୍କ ଶ୍ରୁତିମଧୁର କଣ୍ଠସ୍ୱର ଶୁଣିବାକୁ ମିଳିବ ଗୀତଗୁଡ଼ିକରେ। ଜଣେ ବସ୍ତିପିଲା କିଭଳି ପରିସ୍ଥିତିରେ ପଡ଼ି ଅପରାଧୀ ତାଲିକାରେ ନାଁ ଲେଖେଇଛି ତାହାକୁ ନେଇ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ଲଭ୍ ଏବଂ ରୋମାନ୍ସରେ ନୂଆ ନୂଆ ଟ୍ୱିଷ୍ଟ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବ ବୋଲି କହିଛି ପ୍ରଯୋଜନା ସଂସ୍ଥା।