ନିୟମ ନମାନିଲେ ଲକଡାଉନ୍: ମୁଖ୍ୟମନ୍ତ୍ରୀ

  • ଭୁବନେଶ୍ୱର: କୋଭିଡ ନିୟମ ଠିକଭାବେ ପାଳନ ନକଲେ ଲକଡାଉନ ପାଇଁ ବାଧ୍ୟ ହେବୁ। ଆଜି ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ଭାଇରସ ଏବଂ ଏହାର ମୁକାବିଲା ସମ୍ପର୍କରେ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଦେଶର ଅନ୍ୟ ରାଜ୍ୟରେ କୋଭିଡ କେସ୍ ବଢୁଛି। ଭୁବନେଶ୍ୱରରେ ସ୍ଥିର ରହିଛି। ବିଶ୍ୱର ଅନ୍ୟ ଦେଶରେ ତୃତୀୟ ଲହର ଘାତକ ହେଲାଣି। ଭାରତରେ ୩ୟ ଲହର ଶୀଘ୍ର ଆସିବା ନେଇ ଏକ୍ସପର୍ଟ ସତର୍କ କଲେଣି। ଓଡ଼ିଶା ଧିରେ ଧିରେ ଅନ୍ଲକ୍ ହେଉଛି। ଲକଡାଉନ ଯୋଗୁଁ କିଛି ଲୋକଙ୍କ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଥିଲା। ଜୀବନ ଓ ଜୀବିକା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ପରିସ୍ଥିତିରେ ମୁଁ ଆପଣମାନଙ୍କୁ ସତର୍କ କରାଇବାକୁ ଚାହୁଁଛି।
    କୋଭିଡ ବିପଦ ଏ ପର୍ଯ୍ୟ ଦୂର ହୋଇନି। କରୋନା ଭାଇରସ ଏବେ ବି ଆମ ଆଖପାଖରେ ଲୁଚି ରହିଛି। ରୂପ ବଦଳାଇ ଗୁରୁତର ଆକ୍ରମଣ କରିବାର ଶକ୍ତି ରଖିଛି ଭାଇରସ। ଆମେ କୌଣସି ପ୍ରକାର ସତର୍କତାରେ ଢିଲା କରିବା ଅନୁଚିତ। ନିହାତି ଜରୁରୀ ନଥିଲେ ଆମେ ବାହାରକୁ ବାହାରିବା ନାହିଁ। ଭିଡ଼ କରିବାନି, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରଖିବା। ନିୟମ ଠିକଭାବେ ପାଳନ ନକଲେ ଲକଡାଉନ ପାଇଁ ବାଧ୍ୟ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନଲକ ପରେ କେତେକ ମାର୍କେଟରେ ବହୁତ ଭିଡ ହେଉଛି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ। ଏହାଦ୍ୱାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ। ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ। ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଯଦି ସରକାର ଅନୁଭବ କରନ୍ତି ଯେ ଲୋକେ କୋଭିଡ ନିୟମ ଠିକଭାବେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି।