ରାଜ୍ୟକୁ ପୁଣି ଫେରିଲା ଲକଡାଉନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଲକ୍ଷ କରି ଆଜି ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ପୁଣି ରାଜ୍ୟରେ ୧୪ ଦିନ ଲକଡାଉନ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ଚଳିତ ମାସ ୫ ତାରିଖ ସକାଳ ୬ଟାରୁ ଆସନ୍ତା ୧୯ ତାରିଖ ସକାଳ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଲୋକମାନେ ନିକଟରେ ଥିବା ଦୋକାନକୁ ଚାଲି ଚାଲି ଯାଇ ପନିପରିବା ଇଦ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ସେହିପରି ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ଆତଯାତ ବନ୍ଦ ରହିବ। ସେହିପରି ପୂର୍ବ ନିର୍ଦ୍ଦେଶାବଳୀ ଅନୁସାରେ ଶନିବାର ଓ ରବିବାର ରାଜ୍ୟର ସମସ୍ତ ସ୍ଥାନରେ ସଟଡାଉନ ବଳବତ୍ତର ରହିବ।

ଲକଡାଉନ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ। ବ୍ୟକ୍ତିଗତ ଯାତଆତ ପାଇଁ ଟ୍ୟାକ୍ସି, ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସିନେମା ହଲ, ମଲ, ମାର୍କେଟ କମ୍ପେ୍ଲକ୍ସ, ଜିମ୍, ଯାତ୍ରା, ଅପେରା, ଖୋଲାମଞ୍ଚ ଆଦି ବନ୍ଦ ରହିବ।

ସେଲୁନ, ପାର୍ଲର, ସ୍ପା ଦୋକାନ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡା, ରାଜନୈତି ସମାବେଶ ବନ୍ଦ ରହିବ। ଧାର୍ମିକ ଅନୁଷ୍ଠାନ ମାନଙ୍କରେ କେବଳ ସେବାୟତ ତଥା ପୁଜାରୀ ମାନେ ରହି ନୀତିକାନ୍ତି କରିବାକୁ ଅନୁମତି ଦିଆଯାଇଛି। ବିବାହ ପାଇଁ ସର୍ବାଧିକ ୫୦ ଜଣ ଓ ଅନ୍ତେଷ୍ଟିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡ଼ିବ।

ବ୍ୟାଙ୍କ, ଏଟିଏମ, ଇନସ୍ୟୁରାନ୍ସ, ଅଣ ବ୍ୟାଙ୍କିଂ ଫାଇନାନସିଆଲ ଏଜେନ୍ସି, କୋଅପରେଟିଭ ସୋସାଇଟି ଇତ୍ୟାଦି ଖୋଲା ରହିବ। ତେବେ ଏନେଇ ଆର୍ଥିକ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାରି ହେବ। ସେହିପରି ତେଜରାତି ଦୋକାନ, ଫଳ, ପନିପରିବା, ଡିଆରି ସାମଗ୍ରୀ, ମାଛ, ମାଂସ, ଅଣ୍ଡା ଇତ୍ୟାଦି ଦୋକାନ ଗୁଡ଼ିକୁ ଅନୁମତି ମିଳିଥିବା ବେଳେ ସେମାନଙ୍କୁ ୩୦ ଫୁଟ ବ୍ୟବଧାନରେ ଦୋକନ ଖୋଲିବାକୁ କୁହାଯାଇଛି।