ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନିବାକୁ ଅପିଲ କରୁଛନ୍ତି କୁନି ଝିଅ

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନା ଯୁଦ୍ଧରେ କୁନି ସିପାହୀ । କରୋନାକୁ ନେଇ ଲୋକଙ୍କୁ ସଚେତନ କରୁଛି କୁନି ଝିଅ ରୁହି । କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚେତନତା ବାର୍ତ୍ତାରେ ନିଜେ ଅନୁପ୍ରାଣିତ ହେବା ପରେ ଏବେ ଅନ୍ୟକୁ ଏହା ମାନିବାକୁ ଅପିଲ୍ କରୁଛି ଏହି କୁନି ଝିଅ ରୁହି। ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ କରିବା ଓ ଘରୁ ନବାହାରିବାକୁ ପରାମର୍ଶ ଦେଉଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।

ଲୋକେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି । ଯେଉଁମାନେ ସଚେତନ ହେଉନାହିାଁନ୍ତି, ସତର୍କ ହେଉନାହାଁନ୍ତି କଟକଣା ସତ୍ୱେ ଘରୁ ବାହାରକୁ ବାହାରୁଛନ୍ତି ସେମାନେ ଏହି କୁନି ଝିଅଠାରୁ ଶିଖନ୍ତୁ ବୋଲି କିଛି ଲୋକେ ସୋସିଆଲ୍ ମିଡିଅ।ରେ ପ୍ରକାଶ କରିଛନ୍ତି । ପୂର୍ବରୁ ବହୁ ଥର ଛୋଟ ଛୋଟ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କରୋନା ମୁକାବିଲା ନେଇ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ବୟସ୍କମାନଙ୍କୁ ମଧ୍ୟ ପ୍ରଭାବିତ କରିବା ସହ ଏଭଳି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ । ସେହିଭଳି ଏହି ଛୋଟ ଝିଅ ସଚେତନ ବାର୍ତ୍ତା ମଧ୍ୟ ଅନେକ ଲୋକଙ୍କୁ ସଚେତନ କରିବ ଓ ସତର୍କ କରିବ ବୋଲି ଆଶା କରାଯାଉଛି ।

ସୂଚନା ଯୋଗ୍ୟ, କରୋନାରୁ ବର୍ତ୍ତିବା ପାଇଁ ଘରେ ରହିବାକୁ ବାରମ୍ୱାର ପରାମର୍ଶ ଦେଇଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି କି ଅଯଥାରେ ଘରୁ ନବାହାରିବାକୁ ନିଜ ପିଲା ଛୁଆଙ୍କ ନାଁ’ରେ ଶପଥ କରିବାକୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହିତ ୧୦୪ ନମ୍ୱରକୁ କଲ୍ କରି ନିଜ ନାମ ପଞ୍ଜୀକରଣ କରିବା ସହ କ୍ୱାରେଂଟାଇନରେ ରହିବାକୁ ବିଦେଶ ଫେରନ୍ତାଙ୍କୁ ନିବେଦନ କରିଥିଲେ ନବୀନ ।