ବଲାଙ୍ଗିର, ଫୁଲବାଣୀ ଓ ମୟୂରଭଞ୍ଜରେ କୋଭିଡ୍‍ ହସ୍‍ପିଟାଲ୍‍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନ ତଥା ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍‍ ହସପିଟାଲ୍‍ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବୁଧବାରଠାରୁ ଗୋଟିଏ କୋଭିଡ୍‍ ହସପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି। କନ୍ଧମାଳରେ ୧୫୦ ଆଇସୋଲେସନ୍‍ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସପିଟାଲ୍‍ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବଲାଙ୍ଗିର ଓ ମୟୂରଭଞ୍ଜରେ ଯଥାକ୍ରମେ ୨ଶହ ଆଇସୋଲେସନ୍‍ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି।

ସୂଚନାଯୋଗ୍ୟ, ଉଭୟ ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାରେ ନିକଟରେ ଉଦଘାଟିତ ହୋଇଥିବା କିସର ବିରାଟ କ୍ୟାମ୍ପସରେ ଏହି କୋଭିଡ୍‍ ହସ୍ପିଟାଲ୍‍ କାର୍ଯ୍ୟକ୍ଷମ ହୋଇଛି। ଏହି ଦୁଇ କ୍ୟାମ୍ପସରେ ପୂର୍ବରୁ ଏକ ଅତ୍ୟାଧୁନିକ ଡିସପେନସାରୀ ନିର୍ମାଣ କରାଯାଇଥିଲା। ଫୁଲବାଣୀରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଓ ମୟୂରଭଞ୍ଜରେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏହି ସବୁ କୋଭିଡ୍‍ ହସପିଟାଲର ଦାୟିତ୍ୱ କିମସ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରିବା ପାଇଁ କିମସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ୍‍ ଇଞ୍ଜିନିୟର୍‍, ଇଲେକ୍ଟ୍ରିକାଲ୍‍ ଇଞ୍ଜିନିୟର, ହାଉସକିପିଂ ଏବଂ ଅନ୍ୟାନ୍ୟ ପ୍ରାୟ ୫୦ରୁ ୬୦ଜଣ କର୍ମଚାରୀ ଭୁବନେଶ୍ୱରରୁ ଯାଇ ସେଠାରେ ଯୋଗ ଦେଇଛନ୍ତି। ପ୍ରତି ଜିଲ୍ଲାରେ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି ଓ ସେମାନେ ସେଠାରେ ରହି ହସ୍ପିଟାଲ୍‍ ପରିଚାଳନା କରୁଛନ୍ତି ।

କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିମସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ଏହି ହସପିଟାଲ୍‍ ପରିଚାଳିତ ହେଉଥିବା ବେଳେ କିମସର ଡେପୁଟି ରେଜିଷ୍ଟ୍ରାର ଦିଲ୍ଲିପ ପଣ୍ଡା ଉକ୍ତ ତିନୋଟି କୋଭିଡ୍‍ ହସ୍ପିଟାଲ୍‍ର ନୋଡାଲ୍‍ ଅଫିସର୍‍ ଭାବେ ନିଯୁକ୍ତ ହୋଇଛନ୍ତି।