ସିସି ଟିଭି ନଥିବା କଲେଜଗୁଡ଼ିକର ହେବ ତାଲିକା: ବାତିଲ ହେବ ପରୀକ୍ଷାକେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ୨୦୨୦ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ଥିଓରୀ ପରୀକ୍ଷା ମାର୍ଚ୍ଚ ୩ତାରିଖରୁ ଆରମ୍ଭ ହେବ। ତେବେ ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାରୁ ସବୁ କଲେଜରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା। ଏଥିପାଇଁ ଜାନୁଆରୀ ୧୦ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା। ତେଣୁ ଆସନ୍ତାକାଲି ମହଲତ ସରିବ। ତେଣୁ ରାଜ୍ୟର ସବୁ କଲେଜଗୁଡିକର ତାଲିକା ପ୍ରସ୍ତୁତ କରିବା ସହ କେଉଁ କଲେଜରେ ସିସି କ୍ୟାମେରା ନାହିଁ ତାହାର ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ। ଯେଉଁ କଲେଜରେ ସିସି କ୍ୟାମେରା ନଥିବ ସମ୍ପୃକ୍ତ କଲେଜକୁ ପରୀକ୍ଷାକେନ୍ଦ୍ର ତାଲିକାରୁ ବାଦ୍ ଦିଆଯିବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡ଼ିଛି।

ପ୍ରକାଶ ଥାଉକି ରାଜ୍ୟରେ ମୋଟ ୨୦୬୦ଟି ଜୁନିୟର କଲେଜ ରହିଛି। ସେଥିରୁ ୧୧୨୦ଟି କଲେଜକୁ ପରୀକ୍ଷାକେନ୍ଦ୍ର ଭାବେ ଚୟନ କରାଯାଇଛି। ସମ୍ପୃକ୍ତ କଲେଜକୁ ପୂର୍ବରୁ ୨ଥର ଅନୁଧ୍ୟାନ କରାଯାଇଥିବା ବେଳେ ସିସି କ୍ୟାମେରା ତଥ୍ୟ ସଂଗ୍ରହ ଲାଗି ଆଉଥରେ ମଧ୍ୟ ଯାଞ୍ଚ କରାଯିବ। ଯେଉଁ କଲେଜରେ ସିସି କ୍ୟାମେରା ନଥିବ ସେହିସବୁ କଲେଜକୁ ପରୀକ୍ଷାକେନ୍ଦ୍ରରୁ ବାଦ ଦିଆଯିବା ସହ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପ୍ରାକ୍ଟିକାଲ ସବୁ କଲେଜରେ ହେବ। ତେଣୁ ସବୁ କଲେଜରେ ପ୍ରାକ୍ଟିକାଲ ରୁମ୍ରେ ସିସି କ୍ୟାମେରା ଲଗାଇବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ତେଣୁ ଯେଉଁ ସବୁ କଲେଜରେ ସିସି କ୍ୟାମେରା ନଥିବ ସେହି କଲେଜ ମଧ୍ୟ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ମାର୍ଚ୍ଚ ୩ରୁ +୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ମୋଟ୍ ୩ଲକ୍ଷ ୪୯ହଜାର ୧୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ମୋଟ୍ ୯୭ହଜାର ୫୩୬ ଜଣ ପରୀକ୍ଷାର୍ଥୀ ଥିବା ବେଳେ କଳାରେ ୨ଲକ୍ଷ ୧୮ହଜାର ୮୩୧ଜଣ, ବାଣିଜ୍ୟରେ ୨୫ହଜାର ୭୭୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭ହଜାର ୧୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ରାଜ୍ୟରେ ଥିବା ୨୦୪୦ଟି ଜୁନିୟର କଲେଜର ଛାତ୍ରୀମାନେ ୧୧୦୬ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ରହିଛି।

ଜାନୁଆରୀରେ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ଲାଗି +୨ ପରିଷଦ ପକ୍ଷରୁ ସବୁ କଲେଜକୁ ୨ଟି ସମୟ ଦେଇଛି। ସକାଳ ୧୦ଟାରୁ ଦିନ ୧ଟା କିମ୍ବା ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଲେଜର ସୁବିଧା ଅନୁଯାୟୀ ପ୍ରାକ୍ଟିକାଲ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁ ଥିଓରୀ ପରୀକ୍ଷା ସକାଳ୧୦ଟାରୁ ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଛି। ସେହିପରି ସକାଳ ୯ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରରେ ପହଞ୍ଚବେ। ୯ଟା୩୦ରେ ପରୀକ୍ଷାକେନ୍ଦ୍ରକୁ ପରୀକ୍ଷାଥିମାନେ ପ୍ରବେଶ କରିବେ। ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ।

ତେବେ ଥିଓରୀ ପରୀକ୍ଷାରେ ୧୦୦ମାର୍କ ବିଷୟ ଲାଗି ୩ଘଣ୍ଟା ସମେତ ଉଭୟ ୭୦ ଏବଂ ୬୦ମାର୍କ ବିଷୟ ଲାଗି ମଧ୍ୟ ୩ଘଣ୍ଟା ଧାର୍ଯ୍ୟ ହୋଇଛି। ସେହିପରି ୫୦ମାର୍କ ଲାଗି ଅଢ଼େଇ ଘଣ୍ଟା ଏବଂ ୪୦ମାର୍କ ବିଷୟ ଲାଗି ୨ଘଣ୍ଟା ପରୀକ୍ଷା ହେବ। ପ୍ରାକ୍ଟିକାଲ ପରୀକ୍ଷାରେ ୧୦୦ମାର୍କ ପାଇଁ ୩ଘଣ୍ଟା ରହିଥିବା ବେଳେ ୬୦ ଏବଂ ୩୦ମାର୍କ ପରୀକ୍ଷା ଲାଗି ୩ଘଣ୍ଟା ଧାର୍ଯ୍ୟ କରାଯାଇଛି।