କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି, ବିଶ୍ୱବିଦ୍ୟାଳୟରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ବନ୍ଦ କର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ପୂରଣ ପାଇଁ ବର୍ତ୍ତମାନ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବାକୁ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନକୁ କ୍ୟାବିନେଟ ମୋହର ଲାଗିବା ପରେ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ନିକଟରେ କ୍ୟାବିନେଟରେ ମଞ୍ଜୁରୀ ମିଳିଥିବା ସଂଶୋଧନ ଅନୁଯାୟୀ ଏଣିକି ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଶିକ୍ଷକ ଓ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଅଣ ଶିକ୍ଷକ ନିଯୁକ୍ତ ହେବେ। ତେଣୁ ସଂଶୋଧନର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରଖିବାକୁ ବିଭାଗୀୟ ସଚିବ ସାସ୍ୱତ ମିଶ୍ର ରାଜ୍ୟର ୧୨ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଛିଠି ଦ୍ୱାରା ଅବଗତ କରାଇଛନ୍ତି। ବିଶ୍ୱବିଦ୍ୟାଳୟ ସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦ ନିଯୁକ୍ତି ଏଣିକି ଓପିଏସ୍ସି ଦ୍ୱାରା ପୂରଣ ହେବ। ଏଣୁ ଯଦି ଉପରୋକ୍ତ ପଦବୀ ବିଶ୍ୱବିଦୟାଳୟ ସ୍ତରରେ ପୂରଣ ହେଉଥାଏ, ତାହେଲେ ଯଥାଶୀଘ୍ର ତାହା ବନ୍ଦ କରିବାକୁ ଶ୍ରୀ ମିଶ୍ର କହିଥିବା ଜଣାପଡ଼ିଛି।