୧୧ରେ ଗଡ଼ିବ ସବୁଠୁ ଲମ୍ବା ମେମୁ ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଫେବୃଆରୀ ୧୧ ତାରିଖରେ ରାଜ୍ୟର ସବୁଠାରୁ ବଡ଼ ମେମୁ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ମେମୁ ଟ୍ରେନର ଚାହିଦା ସବୁଠାରୁ ଅଧିକ ଥିବା ଦର୍ଶାଇ ପୂର୍ବତଟ ରେଳବିଭାଗ ଏଭଳି ନିଷ୍ପତ୍ତି ନେଇଛି। ତେବେ ଅନୁଗୁଳ ଓ ପୁରୀ ମଧ୍ୟରେ ଯାତାୟତ କରୁଥିବା ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନରେ ଆହୁରି ୪ଟି ଅତିରିକ୍ତ ବଗିକୁ ସଂଯୋଗ କରାଯିବ। ପୂର୍ବରୁ ଏହି ଟ୍ରେନରେ ୧୨ଟି କୋଚ୍ ରହିଥିବା ବେଳେ, ଅତିରିକ୍ତ ୪ଟି କୋଚ୍ ସଲଗ୍ନ ହେବା ପରେ ଏହା ୧୬ କୋଚ୍ ବିଶିଷ୍ଟ ରାଜ୍ୟ ସବୁଠାରୁ ଲମ୍ବା ମେମୁ ଟ୍ରେନରେ ପରିଣତ ହେବ। ଏହି ମେମୁ ଟ୍ରେନ୍ ଚଳିତ ମାସ ୧୧ ତାରିଖରେ ଭୁବନେଶ୍ୱରଠାରୁ ବର୍ଦ୍ଧିତ କୋଚ୍ ସହ ଯାତ୍ରା ଆରମ୍ଭ କରିବା ନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି।

ଅନ୍ୟପକ୍ଷରେ ଚଳିତ ମାସ ୧୨ ତାରିଖରେ ଭୁବନେଶ୍ୱର ଓ କେନ୍ଦୁଝର ମଧ୍ୟରେ ନୂଆ ମେମୁ ସେବା ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା କେନ୍ଦୁଝରଗଡ଼-ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ପାସେଞ୍ଜର ଟ୍ରେନ୍ ସେବା ଚାଲୁରହିଛି। ଏହି ରେଳସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପ୍ରତିବଦଳରେ ମେମୁ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରଠାରୁ ଆସନ୍ତା ୧୨ ତାରିଖରୁ ଏହି ମେମୁ ରେଳସେବାର ଶୁଭାରମ୍ଭ କରାଯିବ। ତେବେ ମେମୁ ପୂର୍ବ ନିର୍ଦ୍ଧାରିତ ପାସେଞ୍ଜର ଟ୍ରେନର ସମୟ ସାରଣୀ ଓ ସ୍ଥିରୀକୃତ ଷ୍ଟେସନ ଅନୁଯାୟୀ ହିଁ ଯାତ୍ରା କରିବା ନେଇ ରେଳବିଭାଗ ସ୍ପଷ୍ଟ କରିଛି।