ଖୁବଶୀଘ୍ର ନନ୍ଦିଘୋଷ ଟିଭିରେ କୁନା ତ୍ରୀପାଠୀଙ୍କ ନୂଆ କାର୍ଯ୍ୟକ୍ରମ ‘ବାମ୍ଫ’

ଭୁବନେଶ୍ୱର,ଏନ୍ଏନ୍ଏସ୍ : ନନ୍ଦିଘୋଷ ଟିଭିରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନ୍ୟୁଜ୍ ଭିତିକ ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ‘ବାମ୍ଫ’। ଟେଲିଭିଜନ ଦୁନିଆରେ ଲୋକପ୍ରିୟ ଉପସ୍ଥାପକ ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଏହି କାର୍ଯ୍ୟକ୍ରମକୁ ଉପସ୍ଥାନ କରିବେ। ଖୁବଶୀଘ୍ର ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଉଛି ଗୋଟିଏ ସୁସ୍ଥ, ଶ୍ରେଣୀହୀନ,ଅଗ୍ରଣୀ ସମାଜ ଆଉ ଭ୍ରଷ୍ଟାଚାର ତଥା ଦୁର୍ନୀତିମୁକ୍ତ ବ୍ୟବସ୍ଥା ଗଠନ। ଯେ କୌଣସି ପ୍ରକାର ବେଆଇନ, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପକୁ ଏଥିରେ ତୀର୍ଯକ ଭାବେ ଉପସ୍ଥାପନ କରାଯିବ। ଏହା ଏକ ସଂପୂର୍ଣ୍ଣ ନିରପେକ୍ଷ କାର୍ଯ୍ୟକ୍ରମ। ତେବେ ବଡ଼ କଥା ହେଲା ଏଥିରେ କାହାରିକୁ ବ୍ୟକ୍ତିଗତ ଆକ୍ଷେପ କରାଯିବ ନାହିଁ। ଏହା ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ପଜିଟିଭ ନିଉଜ୍ ବା ଭଲ ଖବରକୁ ସମାଜର ହିତ ଉଦ୍ଦେଶ୍ୟରେ ପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ଭିଡିଓ ଅର୍ଥାତ ଜନସାଧାରଣଙ୍କ ଦ୍ୱାରା ସୁଟ୍ କରାଯାଇଥିବା ଭିଡିଓକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ତେବେ ବିନା ତଥ୍ୟ ପ୍ରମାଣରେ କାହା ବିରୋଧରେ ଖବର ପ୍ରସାରଣ ବା ଚରିତ୍ର ସଂହାରୁ ଏହି କାର୍ଯ୍ୟକ୍ରମ ବିରତ ରହିବ। କୌଣସି ପ୍ରକାର ଅମୂଳକ, ଅସତ୍ୟ ଓ ଭତିହୀନ ଖବରକୁ ଏହି କାର୍ଯ୍ୟକ୍ରମରେ ସ୍ଥାନ ଦିଆଯିବ ନାହିଁ।

ଏହି କାର୍ଯ୍ୟକ୍ରମର ଆଉ ଏକ ବିଶେଷତ୍ୱ ହେଉଛି ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରିବ। କାର୍ଯ୍ୟକ୍ରମରେ ଇଂଗ୍ରାଜୀ ଭାଷାରେ କମ ବ୍ୟବହାର ହେବ ବା ଆବଶ୍ୟକ ସ୍ଥଳେ ବ୍ୟବହାର କରାଯିବ ନାହିଁ। କିନ୍ତୁ ଲୋକମୁଖରୁ ହଜିଯାଇଥିବା ଢ଼ଗ ଢ଼ମାଳିକୁ ବିଶେଷ ଭାବେ ବ୍ୟବହାର କରାଯିବ। କାର୍ଯ୍ୟକ୍ରମର ଆଉ ଏକ ବିଶେଷତ୍ୱ ହେଉଛି ଶ୍ରୀଜଗନ୍ନାଥ ଓ ସନାତନ ସସ୍କୃତିର ସୁରକ୍ଷା। ଆଧୁନିକୀକରଣ ନା’ରେ ସନାତନ ସସ୍କୃତିର ମାନମର୍ଯ୍ୟାଦା ହାନିକୁ କାର୍ଯ୍ୟକ୍ରମ ବିଶେଷ ଭାବେ ବିରୋଧ କରିବ।

କୁନା ତ୍ରିପାଠୀଙ୍କ ଉପସ୍ଥାପନ ଶୈଳୀର ଭିନ୍ନତା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମକୁ ଲୋକେ ପସନ୍ଦ କରିବେ ବୋଲି ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟ ମିଶ୍ର ଓ ସିଓଓ ଜବର ସିଂ ପନୱାର କହିଛନ୍ତି। ମୁଖ୍ୟ ସଂପାଦକ ଭଟ୍ଟ ମିଶ୍ର କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ସଂପୁର୍ଣ୍ଣ ରୂପେ ଲୋକାଭିମୂଖୀ କରିବାକୁ ଯଥେଷ୍ଟ ଉଦ୍ୟମ କରାଯିବ ଓ ଆବଶ୍ୟକ ସ୍ଥଳେ ଲୋକଙ୍କ ଫିଡବ୍ୟାକ୍ ଆଧାରରେ ପରିବର୍ତନ କରାଯିବ।