ମୁମ୍ବାଇରେ ପ୍ରବଳ ବର୍ଷା; ବାତିଲ ହେଲା ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ଵର,ଏନ୍ଏନ୍ଏସ୍: ଲଗାଣ ବର୍ଷା ହେତୁ ମୁମ୍ବାଇ ସହର ଜଳମଗ୍ନ ହୋଇଯାଇଛି। ଫଳରେ ରାସ୍ତାଘାଟରେ ପାଣି ଚାଲୁଥିବାବେଳେ ରେଳ ଲାଇନ ମଧ୍ୟ ବର୍ଷା ଜଳରେ ବୁଡ଼ିଯାଇଛି। ଫଳରେ ଶୁକ୍ରବାର ଭୁବନେଶ୍ୱରରୁ ମୁମ୍ବାଇକୁ ଯାତ୍ରା କରିବାକୁଥିବା କୋଣାର୍କ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନକୁ ବାତିଲ୍ କରିଦିଆଯାଇଛି। ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଏହାପୂର୍ବରୁ ମଧ୍ୟ ମୁମ୍ବାଇ ଉପ-ସହରାଞ୍ଚଳରେ ପ୍ରବଳ ବର୍ଷା ହେତୁ ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା। ତେବେ ସଂଯୋଗକାରୀ ଟ୍ରେନ୍ ନ ଆସିବା କାରଣରୁ ଶୁକ୍ରବାର ଅଗଷ୍ଟ ୭ ତାରିଖ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ପେଶାଲ ଏକ୍ସପ୍ରେସକୁ ବାତିଲ କରିଦିଆଯାଇଛି ।

ସେହିପରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଦୁଇ ଲୋକାଲ ଟ୍ରେନ୍ ପାଣି ଭିତରେ‌ ଫସି ରହିଥିଲା। ପରେ ଏନଡିଆରଏଫର ଟିମ୍‌ ଏହି ଟ୍ରେନ୍‌ରୁ ୨୯୦ ଲୋକଙ୍କୁ ଉଦ୍ଧାର କରିଥିଲେ। ପାଣିପାଗ ବିଭାଗ ଅନୁଯାୟୀ ମୁମ୍ବଇ-ଥାଣେ-ପାଲଘର ଭଳି ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି। ୧୨ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୨୧୫.୮ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ମଧ୍ୟ ୧୦୦ କିଲୋମିଟର ଥିଲା।