କୌନ ବନେଗା କରୋଡ଼ପତିରେ ଡ.ଅଚ୍ୟୁତ ସାମନ୍ତ

ଫୁଲବାଣୀ, ଏନ୍ଏନ୍ଏସ୍: ଲୋକପ୍ରିୟ ରିଆଲିଟି ସୋ “କୌନ ବନେଗା କରୋଡ଼ପତି'(କେବିସି)ର ହଟ୍ ସିଟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତି ୯ଟାରେ ସୋନି ଏଣ୍ଟଟରଟେନମେଣ୍ଟ ଟିଭି ପକ୍ଷରୁ ପ୍ରଶାରଣ ହେବାକୁ ଥିବା କୌନ ବେନେଗା କରୋଡ଼ପତିର କର୍ମବୀର ଅଧ୍ୟାୟରେ ଶ୍ରୀ ସାମନ୍ତଙ୍କୁ ଖ୍ୟାତି ସଂପନ୍ନ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ଦେଖିବାକୁ ମିଳିବ। ଏହି ଶୋରେ ବିଗବି ଅମିତାଭ ବଚନଙ୍କ ବିଭିନ୍ନ ପ୍ରଶ୍ନ ଜରିଆରେ ଶ୍ରୀ ସାମନ୍ତ ତାଙ୍କର ସଂଘର୍ଷ ପୂର୍ଣ୍ଣ ଜୀବନ ସଂପର୍କରେ ପ୍ରକାଶ କରିଛନ୍ତି। ଶ୍ରୀ ସାମନ୍ତଙ୍କ ସ୍ୱପ୍ନର କିସ୍ ଅନୁଷ୍ଠାନର ସଫଳ କାହାଣି ସମ୍ପର୍କରେ ସେ ପ୍ରକାଶ କରିଛନ୍ତି।

ଏହି ଅବସରରେ ଶ୍ରୀ ସାମନ୍ତ ଓଡ଼ିଶାରୁ ନେଇଥିବା ଓଡ଼ିଶା ପ୍ରସିଦ୍ଧ ଛେନାପୋଡ଼ ସହ କିସ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପେଣ୍ଟିଂ ମଧ୍ୟ ଅମିତାଭଙ୍କୁ ଉପହାର ଦେଇଥିଲେ। ସୂଚନାଯୋଗ୍ୟ ଯେ, ପୂର୍ବରୁ ଏନଡିଟିଭି ପକ୍ଷରୁ ଚାଲୁଥିବା “ବନେଗା ସ୍ୱଚ୍ଛ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଅମିତାଭ ବଚନଙ୍କ ସହ ଶ୍ରୀ ସାମନ୍ତଙ୍କୁ ଦେଖିବାକୁ ମିଳିଥିଲା। ଅମିତାଭଙ୍କ ସହ ଏଭଳି ଲୋକପ୍ରିୟ କାର୍ଯ୍ୟକ୍ରମରେ ଦୁଇ ଦୁଇଥର ଆସିବାରେ ଶ୍ରୀ ସାମନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ।