କିନ୍ନର କାଟିବେ ପାର୍କିଂ ଚାଲାଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗରୁ କିନ୍ନର ମାନଙ୍କୁ ସମାଜରେ ଆଡ ଆଖିରେ ଦେଖାଯାଉଥିଲା। ପରେ ରାଜ୍ୟ ସରକାର ତାଙ୍କୁ ସମାଜର ଏକ ପାହ୍ୟା ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସାମିଲ କରାଇଲେ। ବର୍ତ୍ତମାନ ସେମାନେ ସମାଜରେ ଏକ ପ୍ରତିଷ୍ଠା ହାସଲ ପାଇଁ ଆଗେଇ ଆସିଛନ୍ତି। ପୂର୍ବରୁ ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିଛନ୍ତି।

ଆଜି ଏକ ନୂଆ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ୱୀକୃତିକୁ ୨ଟି ପାର୍କିଂ ଲଟ ହସ୍ତାନ୍ତର କରିଛି। ବିଏମସି କମିସନର୍ ପ୍ରେମ୍ ଚନ୍ଦ୍ର ଚୌଧୁରୀ ଏହି ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି। ରାଜମହଲ ଛକରୁ ମାଷ୍ଟର କ୍ୟାନଟିନ୍ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ଷ୍ଟପ୍ ନିକଟରେ ଏହି କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ସମୟରେ ବିଏମସିର ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ। ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ଯାଏଁ ୧୭ ଜଣ କିନ୍ନର ଏହି ୨ଟି ପାର୍କିଂ ଲଟରେ ଚାଲାଣ କାଟିବେ।

ତେବେ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି ପାର୍କିଂ ଲଟ୍ ଯାହାକି- ଶ୍ରୀଲେଦର୍ ସୋରୁମରୁ ଅଶୋକା ମାର୍କେଟ୍ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅର୍ନ୍ତଭୁକ୍ତ। ସେଗୁଡିକ ହେଲା- ୧) ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର୍ ସୋରୁମ୍ ସାମ୍ନା ପର୍ଯ୍ୟନ୍ତ ଅଫ୍ ଷ୍ଟ୍ରିଟ୍ ପାର୍କିଂ, ୨) ହୋଟେଲ୍ ରୟାଲ୍ ମିଡ୍ ଟାଉନରୁ ଆର୍ଯ୍ୟପ୍ୟାଲେସ୍ ଅଫ୍ ଷ୍ଟ୍ରିଟ୍ ପାର୍କିଂ, ୩) ଅଶୋକ ମାର୍କେଟରୁ ସିଟି ରେସିଡେନ୍ସି ଅଫ୍ ଷ୍ଟ୍ରିଟ୍ ପାର୍କିଂ ଓ ୪) ରୟାଲ୍ ମିଡ୍ ଟାଉନ୍ ସାମ୍ନାରୁ ନାରାୟଣ ଆର୍ୟୁର୍ବେଦ ଭବନ ସୋରୁମ୍, ଅଶୋକ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ।

ସେହିପରି ଦ୍ୱିତୀୟ ପାର୍କିଂ ଲଟଟି ହେଲା ମାଷ୍ଟର୍ କ୍ୟାଣ୍ଟିନ୍ ଛକଠାରୁ ଶ୍ରୀୟାଛକ ପର୍ଯ୍ୟନ୍ତ। ଏଥିରେ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା ୧) ହୋଟେଲ୍ ସ୍ୱସ୍ତି ବିପରୀତ ପାର୍ଶ୍ୱରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ, ୨) ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ, ୩) ନରୁଲା ଜେନେରାଲ୍ ଷ୍ଟୋର୍ ସମ୍ମୁଖରୁ ପିସି ଚାନ୍ଦ୍ ପର୍ଯ୍ୟନ୍ତ ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ, ୪) ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ୫) ହୋଟେଲ୍ କେଶରୀ ସମ୍ମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ।

ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ୨,୨୩,୦୦୦ ଟଙ୍କା ଏବଂ ଦ୍ୱିତୀୟ ପାର୍କି ଲଟ୍ ପାଇଁ ମାସିକ ୧,୪୬,୦୮୯ ଟଙ୍କା ରହିଛି। ସମ୍ପୃକ୍ତ ସଂସ୍ଥା ଏହି ଦେୟ ବିଏମସିକୁ ଗୋଟିଏ ମାସ ପୂରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣ କରିବେ। ତେବେ ଏ ନେଇ ଚାର୍ଟ ମଧ୍ୟ ପ୍ରସ୍ତୁତ ହୋଇଛି।