୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ କାର୍ତ୍ତିକଙ୍କ ନା’

ମୁମ୍ବାଇ: ରୁହ ବାବା ଅର୍ଥାତ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ସମୟରେ ସବୁ ବର୍ଗର ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । କିନ୍ତୁ କାର୍ତ୍ତିକ ଏବେ ନିଜର ଏକ ନିଷ୍ପତ୍ତି ବଳରେ ପୁଣିଥରେ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ନିକଟରେ କାର୍ତ୍ତିକ ୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିରୁ କାର୍ତ୍ତିକ ଜଣେ ୟୁଥ୍ ଆଇକନ ରୂପେ ନିଜ ଦାୟିତ୍ୱବୋଧତାକୁ ନେଇ ସଚେତ ଥିବା ସ୍ପଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଏକ ପାନ ମସଲା କମ୍ପାନୀର ପ୍ରଚାର କରିବାକୁ ନେଇ ଅଭିନେତା ଅକ୍ଷୟ କୁମାରଙ୍କୁ ବିବାଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରେ ଆଗାମୀ ଭବିଷ୍ୟତରେ ନିଜ ଦ୍ୱାରା ପ୍ରଚାରିତ ବିଜ୍ଞାପନ ପ୍ରତି ସତର୍କ ରହିବେ ଦର୍ଶାଇ ଅକ୍ଷୟ ସଭିଙ୍କୁ କ୍ଷମା ମାଗିଥିଲେ ।