ପଙ୍ଗପାଳ ଚିନ୍ତାରେ କଳାହାଣ୍ଡି ଚାଷୀ, ଆଗତୁରା ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନରେ ଦାବି

କଳାହାଣ୍ଡି,ଏନ୍ଏନ୍ଏସ୍: ମାଡି ଆସୁଛି ଉଡ଼ନ୍ତା ଆତଙ୍କ, କେଉଁଠି ଘଣ୍ଟାକୁ ଦେଢ଼ଶହ କିଲୋମିଟର ତ କେଉଁଠି ୩ ଶହ କିମି ବେଗରେ ପଶିଆସୁଛି ବିପଦ। କିଛି ଚିନ୍ତା କରିବା ପୂର୍ବରୁ ଖାଇଯାଉଛି ହଜାର ହଜାର ହେକ୍ଟର ଚାଷ। ପାକିସ୍ତାନରେ ଖାଦ୍ୟ ଅଭାଗ ନେଇ ଭାରତକୁ ଚାଲି ଆସିଥିବା ପଙ୍ଗପାଳ ଆଠଟି ରାଜ୍ୟରେ ନିଜର ନିଜର କାରନାମା ଦେଖାଇବା ଆରମ୍ଭ କରିଦେଇଛି।

ଭାରତର ପଞ୍ଜାବ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆନା, ମଧ୍ୟପ୍ରେଦେଶ ଓ କର୍ଣ୍ଣାଟକରେ ପହଞ୍ଚିସରିଛନ୍ତି। ଏହି ଆତଙ୍କି କୀଟ ଗଲା ବେଳେ ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଉଛନ୍ତି। ଖାଦ୍ୟ ଏବଂ କୃଷି ସଂଗଠନର ଆକଳନ କହୁଛି ବର୍ତ୍ତମାନ ପଶ୍ଚିମ ପବନ ବହୁଥିବାରୁ ସପ୍ତାହ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡିଶା ପଶିପାରନ୍ତି। ବର୍ତ୍ତମାନ ମଧ୍ୟପ୍ରେଦେଶ ପରେ ଛତିଶଗଡ଼ ଦେଇ ଓଡିଶା ପଶିଆସିବାର ବି ଆଶଙ୍କା ଦେଖାଦେଇଛି। ଫଳରେ ଛତିଶଗଡ଼କୁ ଲାଗି ରହିଥିବା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଚାଷୀ ଏବେ ଆତଙ୍କିତ। ଅଦିନିଆ ବର୍ଷା ଯୋଗୁଁ ଗୋଟେ ପଟେ ଚାଷୀଙ୍କ ହଜାର ହଜାର କୁଇଣ୍ଟାଲ ଧାନ ପାଣିରେ ଭିଜୁଥିବା ବେଳେ ଅନ୍ୟପଟେ ପଙ୍ଗପାଳର ପଦଧ୍ଵନି।

ଏ ନେଇ ଛତିଶଗଡ଼ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାରେ ଚାଲିଛି ପ୍ରସ୍ତୁତି। ପଙ୍ଗପାଳ ଦମନର ନିର୍ଦ୍ଦିଷ୍ଟ କିଛି ଔଷଧ ବହାରିନଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଲକଡାଉନ ଓ ଅଦିନିଆ ବର୍ଷା ଭଳି ଅନେକ ଉପଦ୍ରବରେ କ୍ଷତିଗ୍ରସ୍ତ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ପଙ୍ଗପାଳ ନିଦ ହଜେଇ ଦେଇଛି।