କଟକ,ଏନ୍ଏନ୍ଏସ୍: ଜଷ୍ଟିସ ମହମ୍ମଦ ରଫିକ୍ ହେଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ସ୍ଥାନାନ୍ତର କରିଥିବା ଅନୁମତି ଦେବା ପରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଆଜି ଜାରି କରାଯାଇଥିବା ବିଜ୍ଞପ୍ତି ରେ ଏହା ସ୍ପଷ୍ଟ ହୋଇଛି। ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶ ପରେ ଜଷ୍ଟିସ ରଫିକଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି। କିଛିଦିନ ପୂର୍ବରୁ ତାଙ୍କୁ ଓଡିଶା ହାଇକୋର୍ଟର ବିଚାରପତି ଭବେ ନିଯୁକ୍ତି ଦେବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଦାୟିତ୍ୱ ଗ୍ରହଣ କରିବାକୁ ରାଷ୍ଟ୍ରପତି ଜଷ୍ଟିସ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ରଫିକ୍ ନଭେମ୍ବର ୧୩, ୨୦୧୯ ରେ ମେଘାଳୟ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ୧୯୮୪ ରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନର ବାର୍ କାଉନସିଲରେ ଆଡଭୋକେଟ୍ ଭାବରେ ନାମ ଲେଖାଇଲେ। ଜଷ୍ଟିସ୍ କେ.ଏସ୍ ଜାଭେରୀଙ୍କ ଅବସର ପରେ ଜାନୁଆରୀ ୫, ୨୦୨୦ ଠାରୁ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ସଞ୍ଜୁ ପଣ୍ଡାଙ୍କ ଅଧୀନରେ ଓଡ଼ିଶା ହାଇକୋର୍ଟ କାର୍ଯ୍ୟ କରିଆସୁଛି।