ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ ଅନୁବାଦକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଯୁଗଳ କିଶୋର ଦତ୍ତଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ହୋଇ ସନ୍ଧ୍ୟା ପ୍ରାୟ ୫ଟାରେ ଆଚାର୍ଯ୍ୟ ବିହାରସ୍ଥିତ ତାଙ୍କ ବାସଭବନରେ ପରଲୋକାଗତ ହୋଇଛନ୍ତି। ୧୯୨୮ ମସିହା ଡିସେମ୍ବର ୨୪ ତାରିଖରେ ଯାଜପୁର ଜିଲ୍ଲା ମହେଶ୍ୱରପୁରରେ ସେ ଜନ୍ମଗ୍ରହଣ କରିଥିଲେ।
ଭାରତୀୟ ସାହିତ୍ୟର ଅନେକ ଲୋକପ୍ରିୟ ଗ୍ରନ୍ଥକୁ ଓଡ଼ିଆରେ ଅନୁବାଦ କରି ଯୁଗଳ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିଲେ। ଅନୁବାଦ ବ୍ୟତିତ ସେ ଅନେକ ମୌଳିକ ସାହିତ୍ୟ ମଧ୍ୟ ରଚନା କରିଥିଲେ। ୧୯୪୮ମସିହାରୁ ଯୁଗଳ କିଶୋର ଲେଖାଲେଖି ଆରମ୍ଭ କରିଥିଲେ। କଲେଜରେ ପଢିବା ସମୟରେ ସେ ‘ଦିଗନ୍ତ’ ପତ୍ରିକା ସମ୍ପାଦକ ମଣ୍ଡଳୀରେ ରହିଥିଲେ। ୧୯୫୦ ମସିହାରେ ତାଙ୍କର ପ୍ରଥମ ପୁସ୍ତକ ‘ଶତାବ୍ଦୀର ପ୍ରେମ’ ପ୍ରକାଶ ପାଇଥିଲା। ୧୯୫୧ରେ ପ୍ରକାଶ ପାଇଥିଲା ମାନସୀ। ‘ଡଗର’ ଭଳି ପତ୍ରିକାରେ ତାଙ୍କର ଲେଖା ନିୟମିତ ପ୍ରକାଶ ପାଉଥିଲା। ଭଦ୍ରକରେ ରହିବା ସମୟରେ ସେ ସାହିତ୍ୟ ଆସର ନାମରେ ଏକ ସାହିତ୍ୟ ଚର୍ଚ୍ଚା ଗୋଷ୍ଠୀ ଆରମ୍ଭ କରିଥିଲେ।