ଜବରଦସ୍ତ ବଟି ଆଦାୟ ଘଟଣା: କିନ୍ନର ସଂଘର ଧାରଣା

ଜଟଣୀ,ଏନ୍ଏନ୍ଏସ୍: ଟ୍ରେନ୍ରେ ଯାତ୍ରୀମାନଙ୍କଠାରୁ ଜୋର୍ଜବରଦସ୍ତ ବଟି ଆଦାୟ କରୁଥିବା ଘଟଣାରେ ଶୁକ୍ରବାର ଖୋର୍ଦ୍ଧାରୋଡ୍ ଜିଆର୍ପି ଦ୍ୱାରା ୨ କିନ୍ନର ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଘଟଣାକୁ ନେଇ ଭୁବନେଶ୍ୱର ତୃତୀୟ ଲିଙ୍ଗ ସୁରକ୍ଷା ଟ୍ରଷ୍ଟ୍ ପକ୍ଷରୁ ଖୋର୍ଦ୍ଧାରୋଡ୍ ଜିଆର୍ପି ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଏଥିସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନାନୁସାରେ, ଗତ ୨୯ ତାରିଖରେ ହାୱଡ଼ା-ଚେନ୍ନାଇ ମେଲ୍ରେ ବିହାର ରାଜ୍ୟ ଭାଗଲପୁର ଜିଲ୍ଲା ଦାଦପୁର ଅଞ୍ଚଳର ମନୋଜ କୁମାରଙ୍କଠାରୁ ଜୋର୍ଜବରଦସ୍ତ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଉକ୍ତ ଘଟଣାରେ ଖୋର୍ଦ୍ଧାରୋଡ୍ ଜିଆର୍ପି ଶୁକ୍ରବାର କଟକ ଜିଲ୍ଲା ବାଙ୍କୀ ଥାନା ଚର୍ଚ୍ଚିକା ମନ୍ଦିର ସାହିର ଅମ୍ରିତା ମହାପାତ୍ର ଓ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବଇଁଛବଣିଆ ସାହିର ଅନୀ ଦଳେଇ ନାମକ ୨ କିନ୍ନରଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ନଗଦ ୩ ହଜାର ଟଙ୍କା ଜବତ କରିଥିଲା। ଏ ନେଇ ଜିଆର୍ପି ୯୬/୧୯ରେ ଏକ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା। ଉକ୍ତ ଘଟଣାକୁ କେନ୍ଦ୍ରକରି ରବିବାର ଖୋର୍ଦ୍ଧାରୋଡ୍ ଜିଆର୍ପି ଥାନା ସମ୍ମୁଖରେ ଭୁବନେଶ୍ୱରର ତୃତୀୟ ଲିଙ୍ଗ ସୁରକ୍ଷା ଟ୍ରଷ୍ଟ୍ର ସଭାପତି କିନ୍ନର ମେନକା ପରିଡ଼ାଙ୍କ ନେତୃତ୍ୱରେ ଟ୍ରଷ୍ଟ୍ର ସମସ୍ତ ସଦସ୍ୟ, ଜଟଣୀ କିନ୍ନର ଗ୍ରୁପ୍ର ସାଗରିକା କିନ୍ନର, ବାଲୁଗାଁ ଓ ପୁରୀ ଅଞ୍ଚଳର ପୁନମ୍ କିନ୍ନର, ଜ୍ୟୋତି କିନ୍ନର, ସନ୍ଧ୍ୟା, କ୍ରିଷ୍ଣା, ପ୍ରତିମା, ଅନୀତା ଓ ପୂଜା କିନ୍ନର ପ୍ରମୁଖଙ୍କ ସହିତ ଶତାଧିକ କିନ୍ନର ସେମାନଙ୍କ ଜୀବନ ଜିଇଁବା ପାଇଁ ଏକ ସ୍ୱତନ୍ତ୍ର ହକ୍ ଦାବି କରି ଧାରଣାରେ ବସିଥିଲେ।