ସାରା ଦେଶରେ ‘ଜନତା କର୍ଫ୍ୟୁ’ ଜାରି, ପଦାକୁ ଯିବାକୁ ହେଲେ ପାସ୍ ଦରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: କମିଶନରେଟ୍‌ ପୁଲିସ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର କାର୍ଡ। ଅତି ଜରୁରୀ କାମ ଥିଲେ ସେହି ଲୋକମାନଙ୍କୁ ଦିଆଯାଉଛି ଏହି ପାସ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିଛି। ତେବେ ଭୁବନେଶ୍ୱରରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଜରୁରୀକାଳିନ କାର୍ୟ୍ୟ ପାଇଁ ଯଦି କୌଣସି ବ୍ୟକ୍ତି ବାହାରକୁ ଯିବାକୁ ଚାହାନ୍ତି, ତେବେ ଏ ସମ୍ପର୍କରେ ଜଣାଇଲେ କମିଶନରେଟ୍‌ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପାସ୍‌ ଯୋଗାଇ ଦିଆଯିବ।

ଏଥିପାଇଁ ୧୦୦ ନମ୍ବରକୁ ଫୋନ୍‌ କଲେ ପୁଲିସ୍‌ ଠାରୁ ପାସ୍‌ ପାଇପାରିବେ। ନହେଲେ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ୱା ଇନ୍ସପେକ୍ଟଙ୍କୁଠାରୁ ପାସ୍‌ ପାଇ ପାରିବେ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ଯେଉଁଭଳି ଭାବରେ କରୋନା ଭାଇରସ ତାର କାୟା ବିସ୍ତାର କରୁଛି ତାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ତେବେ କରୋନାକୁ ନେଇ କେନ୍ଦ୍ର ସରକାର ହୁଅନ୍ତୁ କି ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରଚେଷ୍ଟା ଜାରି ରଖିଛନ୍ତି।