ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ

ଜଳସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ ଜଳସଂପଦ ବିଭାଗକୁ। ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ ଚାଷୀକୁ ଅଫିସକୁ ଦୌଡିବାକୁ ଦରକାର ହେବନାହିଁ । ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଅନଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା “ସେଚ ସମାଧାନ” ଆଜି ଛାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି। “ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସଂପାଦିତ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ୱଚ୍ଛ ସେବା ପ୍ରଦାନରେ ସହାୟକ ହେବ। ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇପାରିବ ।

ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ପାଇଁ କରାଯାଇଥିବା ଅନଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ସେବା ବିଷୟରେ ବହୁଳ ଜନସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ ପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ Digital Technology ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଲୋକାର୍ପିତ ଅନ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ୱିଭାଷୀୟ ମୋବାଇଲ ଆପ୍ ।

ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ SMS ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନଲାଇନ ଆବେଦନ ପ୍ରକ୍ରିୟା ଦ୍ୱାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ।