ଅଭିନୟ ମୋ ଜୀବିକା, ସମାଜସେବାରୁ ମୁଁ ଆତ୍ମସନ୍ତୋଷ ପାଏ: ଶ୍ରୀତମ ଦାସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡ଼ିର ଅଭିନେତା ଶ୍ରୀତମ ଦାସ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ଫିଲୋସୋଫିରେ ପିଜି କରିବା ପରେ ହ୍ୟୁମାନ ରାଇଟ୍‌ରେ ଡ଼ିପ୍ଲୋମା ଡ଼ିଗ୍ରୀ ହାସଲ କରିଥିଲେ। ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ଶିକ୍ଷା ସମାପ୍ତ ପରେ ଓକିଲାତି ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ଅଭିନୟକୁ ନିଜର ପେଶା ଭାବେ ଗ୍ରହଣ କରିନେଇଥିଲେ।

କଟକରେ ବଢ଼ିଥିବା ଶ୍ରୀ ଦାସ ୧୯୯୫ରେ ସାବିତ୍ରୀ ଚଳଚ୍ଚିତ୍ରରୁ ଅଭିନୟ ଜଗତରେ ପାଦ ରଖିଥିଲେ। ନାୟକ, ଖଳନାୟକ, ହାସ୍ୟାଭିନେତା ଭାବେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି। ତେବେ ପାଠ ପଢ଼ା ସମୟରୁ ସମାଜସେବାରେ ସକ୍ରିୟ ଅଛନ୍ତି। ସିନେ କ୍ରିଟିକ୍ ଆସୋସିଏସନର ସମ୍ପାଦକ କାର୍ଯ୍ୟରତ ଶ୍ରୀ ଦାସ ରାଜନୀତିରେ ମଧ୍ୟ ଯୋଗ ଦେଇଛନ୍ତି।

ତେବେ ଶ୍ରୀ ଦାସଙ୍କ ସହ ନିତିଦିନର ସ୍ୱତନ୍ତ୍ର ବାର୍ତ୍ତାଳାପ…

ପ୍ରଶ୍ନ-୧) କିପରି ସମୟ ବିତାଉଛନ୍ତି?
ଅଭିନୟ, ସମାଜସେବା, ରାଜନୀତି, ପରିବାରକୁ ସବୁକୁ ସାଥିରେ ନେଇ ସମୟ କଟୁଛି ।

ପ୍ରଶ୍ନ-୨) ସମାଜସେବା କ୍ଷେତ୍ରରେ ଆଗକୁ କ’ଣ ଯୋଜନା ରହିଛି?
ସମାଜସେବା ପାଠ ପଢ଼ା ସମୟରୁ ଆରମ୍ଭ ହୋଇଛି। ବସ୍ତିରେ ଯାଇ ପିଲାଙ୍କୁ ପାଠ ପଢ଼ାଇବା ସହ ଏଚ୍‌ଆଇଭି ଏଡସ୍‌କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ସେତେବେଳେ ଅନେକ କାର୍ଯ୍ୟ ହାତକୁ ନିଆଯାଇଥିଲା। ତେବେ ସମାଜସେବା ଜାରି ରହିବ କିନ୍ତୁ ଏହାର ପ୍ରଚାରପ୍ରସାର ଦିଗରେ ମୁଁ ଆଗ୍ରହୀ ନୁହେଁ। ଲୋକଙ୍କର ମୋ ଠାରୁ ଆଶା ବଢ଼ିଯିବ ହୁଏତ ସମସ୍ତଙ୍କ ଆବଶ୍ୟକତା ପୂରଣ କରି ନପାରେ। ତେଣୁ ସମାଜରେ ଥିବା ଯୁବପିଢ଼ି କିପରି ସମାଜସେବାରେ ମନ ବଳାଇବେ ସେ ଦିଗ ପ୍ରତି ମୁଁ ଯତ୍ନବାନ ଅଛି। ଗଞ୍ଜାମ, ରାୟଗଡ଼ା ଆଦି ଜିଲ୍ଲାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳରେ ନାରୀଶିକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ବର୍ତ୍ତମାନ କରୋନା ମହାମାରୀ ମଧ୍ୟରେ ଲୋକଙ୍କୁ ଆହାର ଯୋଗାଇବା ଆଦି କାର୍ଯ୍ୟ କରାଯାଇଛି। ତେବେ ଏହା ଏକା ମୋ ଦ୍ୱାରା ସମ୍ଭବ ନୁହେଁ। ତେଣୁ ସମାଜସେବାରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବା ହିଁ ମୋର ଲକ୍ଷ୍ୟ।

ପ୍ରଶ୍ନ-୩) ଜଣେ ସଫଳ ଅଭିନେତା ଓ ସମାଜସେବୀ ମଧ୍ୟରୁ କେଉଁ ପରିଚୟ ଆପଣଙ୍କୁ ବେଶୀ ଭଲ ଲାଗେ?
ଅଭିନୟ ଏବଂ ସମାଜସେବା ଉଭୟ ମୋ ଜୀବନରେ ମୂଦ୍ରାର ଦୁଇଟି ପାର୍ଶ୍ୱ ଭଳି। ଅଭିନୟ କରିବା ପୂର୍ବରୁ ସମାଜସେବା ଆରମ୍ଭ ହୋଇଥିଲା। ତେଣୁ ଅଭିନୟ ମୋତେ ଜୀବିକା ଦେଇଛି ସମାଜସେବା ମୋତେ ଆତ୍ମସନ୍ତୋଷ ଦେଇଥାଏ।

ପ୍ରଶ୍ନ-୪) ରାଜନୀତିର ଯାତ୍ରା ସମ୍ପର୍କରେ କ’ଣ କହିବେ?
ଭାରତୀୟ ଜନତା ପାର୍ଟି ସହ ଜଡ଼ିତ ଥାଇ ସମାଜ ସେବା କରିବାକୁ ଚାହୁଁଛି। ବର୍ତ୍ତମାନ ଚା’ ଖଟି ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛି। ଯେପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା ନ ଜାଣିବି ତାହାର ସମାଧାନ କିପରି ହେବ? ରାଜନୀତିରେ ଯଦି ସମାଜର ଉନ୍ନତି ପାଇଁ କିଛି କରି ନପାରିବି ସେ ରାଜନୀତି ମୂଲ୍ୟହୀନ ହୋଇଯିବ। ତେଣୁ ମୋ ପାଇଁ ରାଜନୀତିର ଅନ୍ୟନାମ ସମାଜସେବା।

ପ୍ରଶ୍ନ-୫) ପରଦାରେ ନିଖୁଣ ଅଭିନୟ କରନ୍ତି। ବାସ୍ତବ ଜୀବନରେ କେବେ ଅଭିନୟ କରିବାକୁ ପଡ଼େ କି?
ହଁ, ବାସ୍ତବ ଜୀବନରେ ପତ୍ନୀ ପୁନମଙ୍କ ଆଗରେ ଅଭିନୟ କରିବାକୁ ପଡ଼େ। ପରିବାରକୁ ଭଲରେ ଚଳାଇବାକୁ ହେଲେ ବହୁତ ସମୟ ଅଭିନୟ କରିବାକୁ ପଡ଼େ। କିଛି ଭଲ କାମ କେବେ କେବେ ସମାଜରେ କିଛି ଅପ୍ରିତୀକର ପରିସ୍ଥିତିକୁ ଦୂର କରିବା ପାଇଁ ଅଭିନୟର ଆବଶ୍ୟକତା ହୁଏ।

ପ୍ରଶ୍ନ-୬) କେଉଁ ଚରିତ୍ରରେ ନିଜକୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି?
ମୁଁ ପ୍ରାୟ ସବୁ ପ୍ରକାର ଚରିତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଛି। ଅଭିନୟ ଜୀବନରେ ମୁଁ ୪ଥର ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରିପାରିଛି। ଆଗକୁ ମଧ୍ୟ ଚଳଚ୍ଚିତ୍ର ‘ମହାବାହୁ’ରେ ମଧ୍ୟ ମୋତେ ମହାପ୍ରଭୁଙ୍କ ଭୂମିକାରେ ଦର୍ଶକ ଦେଖିବେ। ଏହି ଚରିତ୍ରଟି ମୋତେ ଖୁବ୍ ଶାନ୍ତି ଦେଇଥାଏ।

ପ୍ରଶ୍ନ-୭) ସିନେମା ସୁଟିଂ ପାଇଁ ରାଜ୍ୟ ବାହାରୁ ଯିବା କେତେ ଜରୁରୀ?
ସିନେମାର କାହାଣୀ ଅନୁସାରେ ସୁଟିଂ ସ୍ପଟ୍ ନିର୍ଣ୍ଣୟ କରାଯାଏ। ତେବେ ଓଡ଼ିଶାରେ ଏପରି ବହୁତ ସ୍ଥାନ ଅଛି ଯେଉଁଠି ପୂରା ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ। ଆଉ ବାହାରକୁ ଯାଇ ମଧ୍ୟ କାହାଣୀ ଭଲ ହୋଇନଥିବ ତେବେ ରାଜ୍ୟବାହରକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇ ଲାଭ ନାହିଁ। ତେଣୁ କାହାଣୀ ଗୁରୁତ୍ୱ ଅନୁସାରେ ଯଦି ବାହାରକୁ ଯିବାକୁ ପଡ଼ୁଛି। ତେବେ ଯିବାରେ କିଛି ଅସୁବିଧା ନାହିଁ।

ପ୍ରଶ୍ନ-୮) ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ଦିଗରେ କେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି?
ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତ କଳାକାର ଓ କର୍ମଚାରୀଙ୍କ କିପରି ବୀମା କରାଯାଇପାରିବ ସେନେଇ ଯୋଜନା କରୁଛି।

ପ୍ରଶ୍ନ-୯) ଝିଅ ଲିପାକ୍ଷୀ ମଧ୍ୟ ଜଣେ କଳାକାର। ତାଙ୍କ ଭବିଷ୍ୟତକୁ ନେଇ କିଛି ଚିନ୍ତା କରିଛନ୍ତି?
ଆଗାମୀ ଚଳଚ୍ଚିତ୍ରରେ ‘ମହାବାହୁ’ରେ ଝିଅ ଅଭିନୟ ଦୁନିଆରେ ପାଦ ରଖିଛି। ଖୁବ୍ ଭଲ ଅଭିନୟ ମଧ୍ୟ କରିଛି। ଗୀତ ଗାଇବା, ନାଚିବା, ଚିତ୍ର କରିବା, ପାଠ ପଢ଼ା ସବୁଥିରେ ସେ ଆଗୁଆ ରହିଛି। ତେଣୁ ଯଦି ଅଭିନୟକୁ ସେ କ୍ୟାରିୟର୍ କରିବାକୁ ଚାହିଁବ ତେବେ ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବ। କିନ୍ତୁ ଝିଅର ଭବିଷ୍ୟତକୁ ନେଇ କୌଣସି ବୋଝ ତା’ ଉପରେ ଲଦିଦେବାକୁ ଚାହୁଁନି। ସେ ନିଜ ପସନ୍ଦରେ ନିଜ ଭବିଷ୍ୟତ ବାଛିବ ମୁଁ କେବଳ ତା’ର ପଥପ୍ରଦର୍ଶକ ହେବି।

ପ୍ରଶ୍ନ-୧୦) ନିକଟରେ ଆପଣଙ୍କ କେଉଁ ସବୁ ଚଳଚ୍ଚିତ୍ର ଦର୍ଶକ ଦେଖିବାକୁ ପାଇବେ?
ଆଗକୁ ୪ରୁ ଅଧିକ ଚଳଚ୍ଚିତ୍ର ଦର୍ଶକ ଦେଖିବାକୁ ପାଇବେ। ‘ମହାବାହୁ’, ରିୟଲ୍ ଲଭ୍ ଷ୍ଟୋରୀ, ଗଲି ଗଲି ମେଁ ଚୋର୍ ହୈ ଆଦି ଚଳଚ୍ଚିତ୍ରର କାମ ସରିଥିବାବେଳେ ଆଉ କିଛି ଚଳଚ୍ଚିତ୍ରର କାମ ଚାଲିଛି। ଆଶା ଦର୍ଶକଙ୍କ ଭଲ ପାଇବା ମିଳିବ। ଏକ ଘରୋଇ ଚ୍ୟାନେଲରେ ନୂଆ ଶୋ’ ଆରମ୍ଭ ହୋଇଛି ଦର୍ଶକଙ୍କ ଶୋ’କୁ ଖୁବ୍ ପସନ୍ଦ କରୁଛନ୍ତି।

ପ୍ରଶ୍ନ-୧୧) ପ୍ରଶଂସକଙ୍କୁ କ’ଣ କହିବେ?
ପ୍ରଶଂସକଙ୍କୁ ଏତିକି କହିବକାୁ ଚାହିଁବି ଓଡ଼ିଆକୁ ଭଲ ପାଆନ୍ତୁ ଓ ଓଡ଼ିଶାକୁ ଭଲ ପାଆନ୍ତି। ଅନ୍ୟ ଭାଷାଭାଷୀ ଚଳଚ୍ଚିତ୍ର ଦେଖନ୍ତୁ ମନା ନାହିଁ କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଧ୍ୟ ଅନୁରୂପ ଭାବେ ଆନ୍ତରିକତା ରହିବା ଦରକାର। ଓଡ଼ିଆ ଚଳଚ୍ଚିତ୍ରକୁ ଦେଖନ୍ତୁ ଓ ଓଡ଼ିଆ ସଂସ୍କୃତି ପରମ୍ପରାକୁ ଆଗକୁ ନେବାକୁ ଚେଷ୍ଟା କରନ୍ତୁ।