ରାଉରକେଲାରେ ଆନ୍ତର୍ଜାତିକମାନର ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରାଉରକେଲା ଠାରେ ୨୦୨୩ପୁରୁଷ ବିଶ୍ୱକପ୍ ହକି ଆୟୋଜନକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ସେଠାରେ ଆନ୍ତର୍ଜାତୀୟ ମାନର ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି । ଏହି ନୂତନ ଷ୍ଟାଡିୟମ ବିଶିଷ୍ଟ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଷ୍ଟାଡିୟମ ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ଏହି ଷ୍ଟାଡିୟମ ଯୁବ ସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା ସହିତ ବଡ ବଡ ସ୍ୱପ୍ନ ଦେଖିବା ଓ ବଡ ବଡ଼ କାମ କରିବାପାଇଁ ଉତ୍ସାହ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଉରକେଲା ସହିତ ବିଜୁବାବୁଙ୍କର ସମ୍ପର୍କ ବିଷୟ ସ୍ମରଣକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଉରକେଲାର ଷ୍ଟିଲ୍ ପ୍ଲାଣ୍ଟଠାରୁ ଆରମ୍ଭ କରି NIT ପର୍ଯ୍ୟନ୍ତ ସବୁଥିରେ ବିଜୁବାବୁଙ୍କ ସ୍ମୃତି ଭରି ରହିଛି । ରାଉରକେଲାକୁ ଆଶାର ସହର –City of Hopes ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେବଳ ଓଡିଶା ନୁହେଁ, ଆଖପାଖ ରାଜ୍ୟର ଲୋକମାନେ ମଧ୍ୟ ଜୀବିକା ପାଇଁ ରାଉରକେଲାକୁ ଆସିଥାନ୍ତି ।

ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମାଆମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏକ୍କା କିପରେ ଭୁବନେଶ୍ୱରର ମେକ୍-ଇନ୍-ଓଡିଶା କନକ୍ଲେଭରେ ତାଙ୍କର ଉଦଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସେ ବିଷୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଜୟନ୍ତୀଙ୍କ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବାପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବି ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ବହୁ ମନ୍ତ୍ରୀ ସାସଦ ବିଧାୟକ ଯୋଗ ଦେଇଥିଲେ।
ହକି ତାରକା ଶ୍ରୀ ଦିଲ୍ଲୀପ ତୀର୍କୀ ଧନ୍ୟବାଦ ଦେଇଥିଲେ।