ଦେଶବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଆରମ୍ଭ, ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ, ନାରାବାଜି ସହ ରେଳ ରୋକ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରର ଜନବିରୋଧୀ, ଶ୍ରମିକ ମାରଣ ନୀତି ଏବଂ ସରକାରୀ ବ୍ୟାଙ୍କଗୁଡ଼ିକର ଗରୋଇକରଣ ଉଦ୍ୟମକୁ ବିରୋଧ କରି କେନ୍ଦ୍ରିୟ ଟ୍ରେଡ ୟୁନିୟନର ଏକ ମିଳିତ ପ୍ଲାଟ୍‌ଫର୍ମ ପକ୍ଷରୁ ମାର୍ଚ୍ଚ ୨୮ ଅର୍ଥାତ୍ ଆଜି ଏବଂ ଆସନ୍ତା କାଲି ଆଜିଠୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦେଇଛି।

ଏହି ଭଳି ବିଭିନ୍ନ ଦାବିକୁ ନେଇ ଆଜି ସକାଳୁ ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ସମୟରେ କିଛି ଜରୁରୀ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଆଜି ବିଭିନ୍ନ ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ପିକେଟିଂ କରିବା ସହିତ ଧାରଣା ଦେଇଛନ୍ତି। ଭୁବନେଶ୍ୱରରେ ସିପିଆଇ(ଏମଏଲ) ପକ୍ଷରୁ ରେଳ ଲାଇନ୍ ଉପରେ ନାରାବାଜି କରିବା ସହିତ ରେଳ ରୋକ କରିଛନ୍ତି।

ସେହିଭଳି ପୁର୍ବରୁ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ଏହି ଧର୍ମଘଟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି। ଫଳରେ ଆଜି ଏବଂ ଆସନ୍ତାକାଲି ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। ଦୁଇ ଦିନ ବ୍ୟାପି ଏହି ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ରାମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ମାର୍ଚ୍ଚ ୨୮ ଏବଂ ୨୯ ରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ଘୋଷଣା କରିଛନ୍ତି।

ତେବେ ରାଜଧାନୀରେ ଏହି ଧର୍ମଘଟକୁ ନଜରରେ ରଖି ଆଜି ପ୍ରଥମାର୍ଦ୍ଧରେ ରାଜଧାନୀର ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ ଏବଂ ଉପର ବେଳାରେ ଖୋଲା ରହିବ ବୋଲି ସୂଚନା ମିଳିଛି। ତେବେ ଏହି ଧର୍ମଘଟରେ ପେଟ୍ରୋଲିୟମ ଡିଲର ମହାସଂଘ ସାମିଲ ହୋଇନାହିଁ ବୋଲି ସୂଚନା ଦେଇଛି।