ସମରେ କୋଭିଡ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀର ମୁକାବିଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସମ୍ ହସ୍ପିଟାଲ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍ ହସ୍ପିଟାଲ ସୋମବାର କାର୍ଯ୍ୟକ୍ଷମ ହୋଇଛି। ୨୫ ଆଇସିୟୁ ଓ ୫୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲକୁ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରାଯାଇଛି। ଏହି ହସ୍ପିଟାଲ୍ ନିମନ୍ତେ ଏମସିଏଲ୍ ସିଏସଆର୍ ପାଣ୍ଠିରୁ ଅର୍ଥ ଯୋଗାଇ ଦେଇଛି।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାର ଦାୟିତ୍ୱ ନେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଏମସିଏଲ ଆର୍ଥିକ ସହାୟତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଶୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ମୁକାବିଲା ଲାଗି ନିଆଯାଇଥିବା ଉପଯୁକ୍ତ ଓ ସମୟ ଉପଯୋଗୀ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଶ୍ରୀ ଯୋଶୀ ରାଜ୍ୟର ସ୍ୱାର୍ଥ ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ।