ବାତ୍ୟା ‘ଜୱାଦ’ର ପ୍ରଭାବରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ରାତିସାରା ଝିପିଝିପି ବର୍ଷା

ଭୁବନେଶ୍ବର,ଏନ୍ଏନ୍ଏସ୍: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଅବପାତ ଶୁକ୍ରବାର ଅଧିକ ଘନୀଭୂତ ହୋଇଛି। ବାତ୍ୟା ଗଭୀର ଅବପାତର ରୂପ ନେବା ପରେ ଶୁକ୍ରବାର ସନ୍ଧ୍ୟା ପରଠାରୁ ରହିରହି ବର୍ଷା ହୋଇଛି। ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ରାତିସାରା ଝିପିଝିପି ବର୍ଷା ହୋଇଛି। ଭୁବନେଶ୍ବରସ୍ଥିତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଏନେଇ ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବର ଓ କଟକରେ ଆକାଶ ମେଘୁଆ ରହିବ। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ କିମି ରହିପାରେ। ପ୍ରବଳ ବର୍ଷା ହେବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ।

ଅବପାତ ଅଧିକ ଘନୀଭୂତ ହୋଇ ଉତ୍ତର- ଉତ୍ତରପଶ୍ଚିମ ଦିଗରେ ୨୫ କିମି ବେଗରେ ଗତି କରିବା ସହିତ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡ଼ ‘ଜୱାଦ’ର ରୂପ ନେଇଛି। ବାତ୍ୟା ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ବେଳେ ରବିବାର ଅପରାହ୍ନରେ ପୁରୀ ନିକଟରେ ସ୍ପର୍ଶ କରିବାର ଅନୁମାନ କରାଯାଉଛି। ତେବେ ସ୍ଥଳ ଭାଗରେ ବାତ୍ୟା ଅତିକ୍ରମ କରିବା ବେଳକୁ ପବନର ବେଗ ଘଣ୍ଟା ପିଛା ୧୦୦କିମି ରହିପାରେ।

ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ବିଏମସିର ପ୍ରସ୍ତୁତି ବୈଠକ ହୋଇଛି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତି ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଆବଶ୍ୟକ ପଡିଲେ ଉକ୍ତ ଅଞ୍ଚଳରୁ ସ୍ଥାନାନ୍ତର କରାଯିବାର ନିଷ୍ପତ୍ତି ହୋଇଛି।