ମୁଁ କହିଲେ ରାଜ୍ୟ ପରିବର୍ତ୍ତନ ହୋଇଯିବ : ଅର୍ଚ୍ଚନା ନାଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ଇଡି ରିମାଣ୍ଡ ଆଜିଠୁ ଆରମ୍ଭ ହୋଇଛି । ଜେରା ପାଇଁ ଇଡି ଅଫିସ ପହଞ୍ଚିବା ପୂର୍ବରୁ କ୍ୟାପିଟେଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ଏହି ସମୟରେ ଅର୍ଚ୍ଚନା ଗଣମାଧ୍ୟମ ସମ୍ମୁଖରେ ବିସ୍ଫୋରକ ବୟାନ ଦେଇଛନ୍ତି । ଅର୍ଚ୍ଚନା କହିଛନ୍ତି ଯେ, ମୋତେ କହିବାକୁ ସୁଯୋଗ ଦିଆଗଲେ ମୁଁ ସବୁ କହିବି । ମୋ ପାଖରେ ଏକ୍ସକ୍ଲୁସିଭ ପ୍ରମାଣ ଅଛି । ଆଉ ମୁଁ କହିଲେ ରାଜ୍ୟ ପରିବର୍ତ୍ତନ ହୋଇଯିବ । ୩୦ ମିନିଟ ଦରକାର, ସମୟ ଦେଲେ ସବୁ କହିବି । ନେତା, ମନ୍ତ୍ରୀ କି ଆଉ କିଏ ସବୁ ପ୍ରମାଣ ଦେଖାଇବି। ମୋତେ ଫସାଇ ଦେଇଛନ୍ତି । ପଣସ ଖାଇ ମୋ ମୁଣ୍ଡରେ ଅଠା ବୋଳିଛନ୍ତି । ୨ଜଣ ମିଶି ମୋ ମୁଣ୍ଡରେ ଅଠା ବୋଳିଛନ୍ତି।

ଅର୍ଚ୍ଚନା ନାଗ ଆହୁରି କହିଛନ୍ତି ଯେ, ସବୁ ଗୁମର ଖୋଲିବ, ମୁଁ କାହାକୁ ଛାଡ଼ିବିନି । ଅକ୍ଷୟ ପରିଜା ନାଁରେ ଏତଲା ପରଠୁ ଶ୍ରଦ୍ଧାଞ୍ଜଳିର କଲ୍ ଡିଟେଲ୍ସ ରେକର୍ଡ ଯାଞ୍ଚ କରାଯାଉ । କାହା କାହା ସହ କଥା ହୋଇଛି, ସବୁ କିଛି ଯାଞ୍ଚ କରାଯାଉ । ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସି ସବୁ ପ୍ରମାଣ ଦେଉ । ମୋ ପାଟି ବନ୍ଦ କରି ସେମାନେ ମୋତେ ଆରେଷ୍ଟ କଲେ । ମୁଁ କ’ଣ ଆତଙ୍କବାଦୀ? କିଛି ନ ଜାଣି ମୋତେ ବଦନାମ କଲେ, ମୋ ଛୁଆର ଲୁହ ପଡ଼ିବ । ଇଡି ତଦନ୍ତକୁ ଅପେକ୍ଷା କରିଥିଲି । ଆଜି ସେ ଦିନ ଆସିଛି ମୁଁ ବହୁତ ଖୁସି । ଯେତେ ବଡ଼ ବଡ଼ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି ଆସନ୍ତୁ ମୁଁ ପ୍ରସ୍ତୁତ । ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ କରି ଦେଖାଇବି । ମୋ ପ୍ରତି ଥିବା ଭୁଲ ଧାରଣାକୁ ଭ୍ରାନ୍ତ ପ୍ରମାଣ କରିବି ।