ଓଷା ବ୍ରତ ଓ ଧର୍ମୀୟ ଦୃଷ୍ଟିକୋଣରୁ କାର୍ତ୍ତିକ ମାସର ବେଶ୍ ମହତ୍ତ୍ୱ ରହିଛି। କୃତ୍ତିକା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚନ୍ଦ୍ର ମାସକୁ କାର୍ତ୍ତିକ ମାସ କୁହାଯାଏ। ପୌରାଣିକ ଆଖ୍ୟାନ ଅନୁସାରେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ବିଷୟରେ କହିଛନ୍ତି – ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟ ନାରାୟଣ ତୀର୍ଥ ବଦ୍ରିକା, ଏବଂ ମାସମାନଙ୍କ ମଧ୍ୟରେ କାର୍ତ୍ତିକ ଶ୍ରେଷ୍ଠ। “ନ କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ। ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗାୟ ସମଂ।’ ଅର୍ଥାତ୍ କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ। ବେଦ ସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ। କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ। କାର୍ତ୍ତିକ ପୂର୍ଣ୍ଣମୀରେ ଭଗବାନ ବିଷ୍ଣୁ ମତ୍ସ୍ୟ ରୂପ ଧାରଣ କରି ପୃଥିବୀକୁ ରକ୍ଷା କରିଥିଲେ ବୋଲି ପୁରାଣରେ କୁହାଯାଇଛି।
ଏହି ଧର୍ମୀୟ ମାସ ମଧ୍ୟରେ ଦୀପାବଳିରେ ଦୀପଦାନ, କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବାଲୁକା ପୂଜା ଇତ୍ୟାଦି କରାଯାଏ। ଯେଉଁ ବ୍ରତଧାରୀ ହବିଷ୍ୟାଳୀମାନେ ମାସ ସାରା ବ୍ରତ ପାଳନ କରି ନ ପାରନ୍ତି ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମୀ ପୂର୍ଯ୍ୟନ୍ତ ଅତି ପବିତ୍ର ହୋଇଥିବାରୁ ଏହା ପାଳନ କରିଥାନ୍ତି। ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହା ପଞ୍ଚକ କୁହାଯାଏ।
ଶାସ୍ତ୍ର ମତରେ କାର୍ତ୍ତିକ ମାସ ହେଉଛି ମାସଗୁଡ଼ିକ ଭିତରେ ଶ୍ରେଷ୍ଠ। ଅତ୍ୟନ୍ତ ପୁଣ୍ୟ ଧର୍ମୀୟ ମାସ କାର୍ତ୍ତିକ। ଏ ମାସର ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି। ଭଗବାନ ଶ୍ରୀଜଗନ୍ନାଥ ରାଧା ଦାମୋଦର ବେଶ ହୁଅନ୍ତି। ପୁଣି ଭଗବାନ ଶ୍ରୀହରି ଓ ଶଙ୍କରଙ୍କର ପୂଜା ମଧ୍ୟ ଅନୁଷ୍ଠିତ ହୁଏ। ମାସସାରା ଦୀପଦାନ କରାଯାଏ, ଝୋଟି ଦିଆଯାଏ। ତୁଳସୀ ପୂଜା ଏ ମାସର ଅନ୍ୟତମ ବୈଶିଷ୍ଟ୍ୟ।