ହକି ଓଡ଼ିଶା ଉପସଭାପତିଙ୍କ ଦେହାନ୍ତ

କଟକ, ଏନ୍ଏନ୍ଏସ୍: ହକି ଓଡ଼ିଶାର ଉପସଭାପତି ସଞ୍ଜୁବାଳା ମହାନ୍ତିଙ୍କର ଶୁକ୍ରବାର ସ୍ଥାନୀୟ ଏସ୍ସିବି ମେଡିକାଲ୍ କଲେଜରେ ପରଲୋକ ହୋଇଯାଇଛି। ସଞ୍ଜୁବାଳା ଫୁସ୍ଫୁସ୍ଜନିତ ସଂକ୍ରମଣ ସମସ୍ୟା ନେଇ ଚିକିତ୍ସାଧୀନ ଥିଲେ। ତେବେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଥିବା ବେଳେ ତାଙ୍କ ପ୍ରତି ହକି ଓଡ଼ିଶା ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ଶୋକ ପ୍ରକଟ କରାଯାଇଛି। ସଞ୍ଜୁବାଳା ସମାଜସେବାରେ ବ୍ରତୀ ଥିବା ସହ ରାଜ୍ୟର ଶାସକ ଦଳ ବିଜେଡି ସହ ମଧ୍ୟ ଜଡ଼ିତ ଥିଲେ। ହକି ଓଡ଼ିଶା ସଭାପତି ଜଷ୍ଟିସ୍ ଏଏସ୍ ନାଇଡୁ ଓ ସମ୍ପାଦକ ପ୍ରତାପ ଶତପଥୀ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।