ଜୋରଦାର ଚଢଉ ଯୋଗୁଁ ୨୩,୯୧୭ ମାମଲା ରୁଜୁ : ୧୯,୨୭୮ ଗିରଫ ଏନ୍‍ଡିପିଏସ୍‍ ମାମଲା ରୁଜୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବେଆଇନ୍‍ ନିଶା କାରବାର ବିରୋଧରେ ରାଜ୍ୟ ଅବକାରୀ ବିଭାଗର ଜୋରଦାର ଚଢଉ ଫଳରେ ଚଳିତ ଆର୍ଥିକ ବର୍ଷର ପାଞ୍ଚ ମାସ ମଧ୍ୟରେ ୨୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଗତବର୍ଷ ତୁଳନାରେ ମାମଲା ରୁଜୁ ଓ ଗିରଫଦାରୀ ସଂଖ୍ୟାରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ଅବକାରୀ କମିସନର ଆଶୀଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହା ଜଣାଯାଇଛି । ଶ୍ରୀ ସିଂହ ଭର୍ଚୁଆଲ ମୋଡରେ କରିଥିବା ଏହି ସମୀକ୍ଷାରେ ଅତିରିକ୍ତ କମିସନର ରାମଚନ୍ଦ୍ର ପାଲଟା, ଯୁଗ୍ମ କମିସନର ଡକ୍ଟର ଦିବ୍ୟ ଲୋଚନ ମହାନ୍ତ ଓ ଶରତ ଚନ୍ଦ୍ର ମହାପାତ୍ର, ଏନ୍‍ଫୋର୍ସମେଣ୍ଟ ଇଡିସି ରାମଚନ୍ଦ୍ର ମିଶ୍ର, ଇଡିସି ସର୍ବଶ୍ରୀ ରଜତ କୁମାର ପ୍ରହରାଜ, ଦଣ୍ଡପାଣି ବେହେରା ଓ ଡମ୍ବରୁଧର ଖଣ୍ଡାଙ୍କ ସମେତ ଅବକାରୀ ବିଭାଗର ବରି ଅଧିକାରୀମାନେ ଉପସ୍ଥିତ ଥିଲେ।

ସମୀକ୍ଷାରୁ ଜଣାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା ବେଆଇନ୍‍ ଅବକାରୀ ଚଢଉ ଯୋଗୁଁ ମୋଟ୍‍ ୨୩,୯୧୭ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୧୯,୨୭୮ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ମାମଲା ରୁଜୁ କ୍ଷେତ୍ରରେ ୬୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗିରଫଦାରୀ କ୍ଷେତ୍ରରେ ୫୯ ପ୍ରତିଶତ ବୃଦ୍ଧି ହୋଇଛି । ସେହିଭଳି ଏହି ୫ ମାସ ମଧ୍ୟରେ ୬୭୯୧ କିଲୋ ଭାଙ୍ଗ ଜବତ ହୋଇଛି ଯାହାକି ଗତବର୍ଷର ଏହି ସମୟ ତୁଳନାରେ ୧୫୬ ପ୍ରତିଶତ ଅଧିକ ରହିଛି । ଗତବର୍ଷ ଏହି ସମୟରେ ଅବକାରୀ ଚଢଉ ବେଳେ ୨୬୪୫ କିଲୋ ଭାଙ୍ଗ ଜବତ ହୋଇଥିଲା ।

ସେହିଭଳି ଚଳିତ ଆର୍ଥିକ ବର୍ଷର ଏହି ୫ ମାସ ମଧ୍ୟରେ ୭,୩୩,୧୬୫ ଲିଟର କାରଖାନା ପ୍ରସ୍ତୁତ ଦେଶୀ ମଦ, ୮୨,୧୯,୭୨୬ ଲିଟର ମଦ ପ୍ରସ୍ତୁତ ସାମଗ୍ରୀ, ୧୨,୪୮୩ ଲିଟର ମହୁଲି ମଦ, ୬୨୦୨ ଲିଟର ଦେଶୀ ମଦ ଓ ଟିକସ ଫାଙ୍କିଥିବା ୩୦୦ ଲିଟର ଭାରତ ତିଆରି ବିଦେଶୀ ମଦ ଜବତ ହୋଇଛି। ଏହି ସମୟରେ ଦେଶୀମଦ, ମଦପ୍ରସ୍ତୁତ ସାମଗ୍ରୀ ସହିତ ୧୧୧୭ଟି ଦୁଇ ଓ ୪ ଚକିଆ ଯାନ ଜବତ ହୋଇଛି, ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ ରହିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଅବକାରୀ ବିଭାଗ ୯୭୧ଟି ଯାନ ଜବତ କରିଥିଲେ ।

ସେହିଭଳି ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ଧରପଗଡକୁ ଜୋରଦାର କରାଯିବା ଫଳରେ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଦ୍ଧା ୭୩୯ଟି ଏନ୍‌ଡିପିଏସ୍‍ ମାମଲା ରୁଜୁ ହୋଇଥିବାବେଳେ ଏଥିରେ ୮୬୫ ଜଣ ଗିରଫ ହୋଇଛନ୍ତି । ରୁଜୁ ହୋଇଥିବା ମାମଲା ଓ ଗିରଫଦାରୀ ଗତବର୍ଷ ତୁଳନାରେ ଯଥାକ୍ରମେ ୨୦୪ ଓ ୧୯୩ ପ୍ରତିଶତ ଅଧିକ ରହିଛି । ଏହି ସମୟରେ ରାଜ୍ୟରୁ ୨୧,୬୯୦ କିଲୋ ଗଞ୍ଜେଇ, ୯୮୭୪ ଗ୍ରାମ ବ୍ରାଉନସୁଗାର ଓ ୪୧୦ ଲିଟର କଫସିରପ ଜବତ ହୋଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ୪୦୦୦ ନାଇଟ୍ରାଜେପାମ ବଟିକା ଜବତରେ ଅବକାରୀ ବିଭାଗକୁ ବଡ
ସଫଳତା ମିଳିଛି । ଚଳିତ ଆର୍ଥିକ ବର୍ଷରେ ଜବତ ଏନ୍‍ଡିପିଏସ୍‍ ସାମଗ୍ରୀର ମୂଲ୍ୟ ୮୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ରାଜ୍ୟରେ ଥିବା ମଦ ଦୋକାନ ଗୁଡିକରେ ଅନିୟମିତତା ଦୃଷ୍ଟିକୁ ଆସିବା ପରେ ୫-ଟି ଆଧାରରେ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବକାରୀ ଦୋକାନ ବିରୋଧରେ ୬୪୦ଟି ଅଭିଯୋଗ ଦାଖଲ ହେବା ସହିତ ସେମାନଙ୍କ ଠାରୁ ୭୦ ଲକ୍ଷରୁ ଅଧିକ ଅର୍ଥ ଆଦାୟ ହୋଇଛି । ସେହିଭଳି ଓକାକ ସହାୟତାରେ ଗତ ଦଶ ବର୍ଷର ଅବକାରୀ ତଥ୍ୟର ଚାଲିଥିବା ଡିଜିଟାଇଜେସନ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ଅବକାରୀ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଅବକାରୀ ମାମଲା ପରିଚାଳନା ଓ ଅବକାରୀ କାରବାରରେ ଲିପ୍ତ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ୍‍ ସହାୟତାରେ ସହଜରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରତି ମାସରେ ମାମଲା ପରିଚାଳନା ଓ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଉଥିବାବେଳେ ବିଭିନ୍ନ ଅବକାରୀ ରେଞ୍ଜରେ ଦପ୍ତର ନିର୍ମାଣ ସହିତ ଗାଡି ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ ଲାଗି କମିସନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ପକ୍ଷରୁ ବେଆଇନ୍‍ ନିଶା କାରବାର ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ଅବକାରୀ କମିସନର ସିଂ ପ୍ରଶଂସା କରିବା ସହିତ ବେଆଇନ ନିଶା ସାମଗ୍ରୀ ପ୍ରସ୍ତୁତି, ପରିବହନ, ବିକ୍ରି ବିଶେଷକରି ଟିକସଫାଙ୍କି ମଦ କାରବାର ବିରୋଧରେ ନିୟମିତ ଚଢଉ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।