ଶେଷ ଯାତ୍ରାରେ ହେମାନନ୍ଦ ବିଶ୍ୱାଳ, ବିଧାନସଭା ପରିସରରେ ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶେଷ ଯାତ୍ରାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ। ରାଜ୍ୟ ବିଧାନସଭାରେ ହେମାନନ୍ଦ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ମରଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସେହିପରି କଂଗ୍ରେସ ଭବନ ପରିସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଂଗ୍ରେସ ଭବନରୁ ମରଶରୀରକୁ ତାଙ୍କ ପୈତୃତ ଗାଁ ଝାରସୁଗୁଡା ଜିଲ୍ଲା ଲାଇକେରାର ଠାକୁରପଡା ନିଆଯାଇଛି। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ତେବେ ଶୁକ୍ରବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ଅସୁସ୍ଥ ହୋଇ ସମ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେମାନନ୍ଦଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।