ଭୁବନେଶ୍ୱର, ଏନ୍ଏନ୍ଏସ୍: ଧିରେଧିରେ ଶୀତ ବଢୁଥିବା ବେଳେ ବୁଧବାର ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିଲା। ଏଭଳି ଘନ କୁହୁଡି ଆଉ କିଛିଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ବିଶେଷ କରି ୧୯ ଓ୨୦ତାରିଖ ସକାଳ-ସମୟରେ ୧୨ଟି ଜିଲ୍ଲାରେ ସମ୍ଭାବ୍ୟ ଘନ କୁହୁଡି ଆସ୍ତରଣ ରହିବ। ଏଥିପାଇଁ ୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।
ଖାଲି କଟକ-ଭୁବନେଶ୍ୱର ନୁହେଁ ବରଂ ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସମାନ ଭାବେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏପରି କୁହୁଡି ଗୁରୁବାର ବି ଦେଖାଯାଇପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦, ୨୧ ତାରିଖରେ ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରଆଶଙ୍କା ପ୍ରକାଶ କରିଛି।