ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଦାବି କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା,ଏନ୍ଏନ୍ଏସ୍ : କରୋନା ଭୁତାଣୁର ମୁକାବିଲା ପାଇଁ ଆଜି ଭିଡିଓ କନଫରେନ୍ସ ଜରିଆରେ ଉଚ୍ଚ ସ୍ତରୀୟ ମନ୍ତ୍ରୀ ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବର୍ତମାନ ରାଜ୍ୟରେ ପ୍ରତିଦିନ ୧ ହଜାର ସ୍ୱାବ ନମୁନା ପରୀକ୍ଷଣ କରାଯାଉଛି । ଏବଂ ଆଗାମୀ ଦିନରେ ଏହାକୁ ବୃଦ୍ଧି କରି ଦୈନିକ ୨ ହଜାରୁ ୩ ହଜାର ସ୍ୱାବ ନମୁନା ପରୀକ୍ଷଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏହାସହ ରାଜ୍ୟରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପ୍ରଶମନ ତାଲିମ କେନ୍ଦ୍ର ପ୍ରତିଷ୍ଠା ଏବଂ ସମସ୍ତ ପ୍ରମୁଖ ରୋଗ ନିବାରଣ, ଉତ୍କର୍ଷ ପ୍ରଶିକ୍ଷଣ କେନ୍ଦ୍ର, ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମତ ଉପସ୍ଥାପନା କରିଥିଲେ। ସେ କହିଥିଲେ ଏହା ଦ୍ୱାରା ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ନର୍ସିଙ୍ଗ ଓ ଫାର୍ମାସିଷ୍ଟ ଆପଦକାଳୀନ ସ୍ଥିତିରେ କିଭିଳି ଚିକିତ୍ସା କରାଯାଇ ପାରିବ ସେ ଦିବାରେ ଅବଗତ ହୋଇ ପାରିବେ। ସେହିପରି ରାଜ୍ୟର ଓøଷଧ କମ୍ପାନୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବାରେ ବ୍ୟବହୃତ ହେଉଥିବା ସମସ୍ତ ଉପକରଣ ଶିଳ୍ପ ପ୍ରତିଷ୍ଠା କରାଯିବା ଦିଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଏହାସହ କୋରନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ସଂଖ୍ୟକ କୋଭିଡ ୧୯ ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ବୈଠକରେ ମତ ରଖିଥିଲେ। ଏଥିପାଇଁ ବିପୁଳ ସଂଖ୍ୟକ ପରୀକ୍ଷଣ ସରାଞ୍ଜାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା ସହ ଓଡିଶା ରାଜ୍ୟ ଔଷଧ ନିଗମ ଜରିଆରେ ମଧ୍ୟ ଏହାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ବୁର୍ଲ୍ଲା ମେଡିକାଲ କଲେଜରେ ଅନ୍ତତଃ ଆହୁରି ତିନୋଟି କୋଭିଡ ୧୯ ପରୀକ୍ଷଣ ଯନ୍ତ୍ର, ବଲାଙ୍ଗୀର ମେଡିକାଲ କଲେଜ, କଳାହାଣ୍ଡି ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର ସମ ହସ୍ପିଟାଲ, କିମ୍ସ ହସ୍ପିଟାଲ, ହାଇଟେକ ମେଡିକାଲ କଲେଜରେ କରୋନା ଭୁତାଣୁ ପରୀକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପ୍ରେରଣ କରିବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ମତ ରଖିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ହାର କମ ରହିଛି । ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶନରେ କୋରନା ସଫଳତାର ସହ କୋରନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି। ଦିଲ୍ଲୀରେ ପ୍ରତି ୯ଟି ଟେଷ୍ଟରେ ୧ ପଜିଟିଭ ତାମିଲନାଡୁରେ ୧୦ ରେ ୧ ପଜିଟିଭ ରିପୋର୍ଟ ଆସୁଥିବାବେଳେ ଓଡ଼ିଶାରେ ୧୦୦ ଟେଷ୍ଟରେ ୧ ପଜିଟିଭ ବାହାରୁଛନ୍ତି ବୋଲି ସେ କହିଛନ୍ତି । ତେଣୁ କୋରନା ସଂକ୍ରମଣକୁ ଓଡିଶା ସଫଳତାର ସହ ରୋକି ପାରିବ ବୋଲି ସେ ମତ ଦେଇଥିଲେ। ଏହାସହ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ମାର୍ଗ ଦର୍ଶନ ଓ ଅନ୍ୟ ରାଜ୍ୟଗୁଡିକ ଦ୍ୱାରା ପାଳନ କରାଯାଉଥିବା କାର୍ଯ୍ୟ ଶୈଳୀକୁ ଅନୁଧ୍ୟାନ କରି ଏକ ମାର୍ଗ ଦର୍ଶିକା ପ୍ରସ୍ତୁତ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମତ ଉପସ୍ଥାପନା କରିଥିଲେ ।