ଲକଡାଉନକୁ ଅମାନ୍ୟ କରି ୪ ଯୁବକ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକଡାଉନ କରା ଯାଇଥିବା ବେଳେ ସରକାର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ । ମାତ୍ର କେତେକ ଜନ ସାଧାରଣ ଲକଡାଉନ ନିୟମକୁ ଅମାନ୍ୟ କରୁଥିବାରୁ ଲକଡାଉନ ଉଦ୍ଦେଶ୍ୟର ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ବେଳେ କେତେକ ଜନସାଧାରଣ ସୁଧୁରିବାର ନାଁ ନେଉ ନାହାନ୍ତି  । ଫଳରେ ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ଅମାନିଆ ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜଣାପଡିଛି। ଏହି କ୍ରମରେ ଦେବଗଡ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଲକଡାଉନ ଅମାନ୍ୟ କରିବା ଅଭିଯୋଗରେ ୨୪ ଘଂଟା ମଧ୍ୟରେ ଦେବଗଡ ଥାନାରେ ୨ଟି,ରିଆମାଳ ଥାନାରେ ୨ଟି ,ଓ କୁଣ୍ଢେଇଗୋଳା ଥାନାରେ ୨ଟି ଲେଖାଏଁ ମୋଟ ୬ଟି ମାମଲା ଋୁଜ୍ଜୁ ହେବା ସହ୪ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ସେହିପରି ସେମାନଙ୍କ ଠାରୁ ୪ ଟି ବାଇକ ଜବତ କରାଯାଇଥିବା ଜଣାପଡିଛି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକଡାଉନ ଅମାନ୍ୟ କରି ବେଆଇନ ଭାବେ ବାଇକରେ ଏଣେ ତେଣେ ବୁଲୁଥିବା କାରଣରୁ କୁଣ୍ଢେଇଗୋଳା ଥାନା ପୁଲିସ ୨ଟି ବାଇକ ଜବତ କରିବା ସହ ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ସେହିପରି ରିଆମାଳ ଥାନା ପୁଲିସ ଲକ ଡାଉନ ସମୟରେ ୨ଟି ବାଇକ ଜବତ କରିବା ସହ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ଅନ୍ୟ ପକ୍ଷରେ ଦେବଗଡ ଥାନା ଅନ୍ତର୍ଗତ ଝରା ଗୋଗୁଆ ଗ୍ରାମରେ ହୋମ କ୍ୱାରେଂଟାଇନରେ ଥିବା ରାଜେଶ କିସାନ ଓ ମୋହନ କିସାନ କ୍ୱାରେଂଟାଇନ ଆଦେଶ ଅମାନ୍ୟ କରି ଗ୍ରାମରେ ଏଣେ ତେଣେ ବୁଲୁଥିବାରୁ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇ ବ୍ଲକ ପ୍ରଶାସନ ପକ୍ଷରୁ ହୋମକ୍ୱାରେଂଟାଇନ ପାଇଁ ନୋଟିସ ଜାରି କରିଥିଲେ।

ମାତ୍ର ପ୍ରଶାସନର ନିର୍ଦ୍ଦେଶକୁ ଅମାନ୍ୟ କରି ଉକ୍ତ ଯୁବକମାନେ ଘରେ ନ ରହି ଗ୍ରାମରେ ବୁଲାବୁଲି କରୁଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବ୍ଲକ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗତକାଲି ତିଲେଇବଣୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ କୁମାର ଗୁରୁ ଏ ନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ ଥାନା ପୁଲିସ ଏକ ମାମଲା ଋୁଜ୍ଜୁ କରି ଉକ୍ତ ଯୁବକ ୨ଜଣଙ୍କୁ ଘରୁ ଗିରଫ କରି ଆଇସୋଲେସନରେ ଭର୍ତି କରିଥିଲେ ।