ସ୍ୱାଭିମାନ ଅଞ୍ଚଳରେ ବଦଳିବ ସ୍ୱାସ୍ଥ୍ୟ ସେବା, ପ୍ରତିଷ୍ଠା ହେଲା ମେଡ଼ିକାଲ୍‌

ଚିତ୍ରକୋଣ୍ଡା,ଏନ୍ଏନ୍ଏସ୍: ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳରେ ପରିବର୍ତ୍ତନ ହୋଇଥିଲା। ଏବେ ଆଉ ଗୋଟିଏ ପଦ ଆଗକୁ ବଢ଼ିଛି ସ୍ୱାଭିମାନ ଅଞ୍ଚଳ। ଏହି ଅଞ୍ଚଳବାସୀଙ୍କୁ ହାଇଟେକ୍‌ ଚିକିତ୍ସା ସେବା ଯୋଗାଇଦେବା ପାଇଁ ବଡ଼ପଡ଼ାଠାରେ ପ୍ରତିଷ୍ଠା କରାଯାଉଛି ପୋର୍ଟେବୁଲ ହେଲଥ୍‌ କେୟାର ୟୁନିଟ୍‌। ଓଡ଼ିଶା ରାଜ୍ୟ ସରକାର ଓ ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ପକ୍ଷରୁ ନିର୍ମାଣ ହୋଇଥିବା ମେଡ଼ିକାଲ୍‌ରେ ରହିଛି ୫୦ ଶଯ୍ୟା। ଏଥିସହିତ ମିଳିବ ଉଚ୍ଚ ମାନର ଚିକିତ୍ସା ସୁବିଧା। ପୂର୍ବ ପରି ଆଉ ବିଚ୍ଛିନ୍ନଞ୍ଚଳବାସୀଙ୍କୁ ଆଉ ଚିତ୍ରକୁଣ୍ଡା, ଜିଲ୍ଲା ସରମହକୁମା କିମ୍ୱା କୋରାପୁଟ୍‌ ଯିବାକୁ ପଡ଼ିବ ନାହିଁ। ଗାଁର ଗରିବ ଆଦିବାସୀଙ୍କୁ ମିଳିବ ଉନ୍ନତ ମାନର ଚିକିତ୍ସା ସୁବିଧା।

ଏହି ପୋର୍ଟେବୁଲ ହେଲଥ୍‌ କେୟାର ୟୁନିଟ୍‌କୁ ଚେନ୍ନାଇ ଆଇଆଇଟି ଡିଜାଇନ୍‌ କରିଛି। ଏହାକୁ ଆର୍ଥିକ ସହାୟତା ପ୍ରଦାନ କରିଛି ମାଷ୍ଟରକାର୍ଡ। ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ଅତ୍ୟାଧୁନିକ ସୁବିଧା ଯୁକ୍ତ ମେଡ଼ିକାଲ୍‌। ସବୁ ରୁମ୍‌ରେ ଶୀତ ତାପ ନିୟନ୍ତ୍ରିତ। ରୋଗୀଙ୍କ ପାଇଁ ୪୬ଟି ନର୍ମଳ ବେଡ୍‌ ଓ ଭେଣ୍ଟିଲେଟର ଯୁକ୍ତ ୪ଟି ଆଇସିଇଉ ବେଡ୍‌ ରହିଛି। ମେଡ଼ିକାଲରେ ଅକ୍ସିଜେନ କନ୍‌ସେଣ୍ଟଟେରର ବ୍ୟବସ୍ଥା ରହିଛି। ଡାକ୍ତର ଓ ନର୍ସଙ୍କ ରହିବା ସହିତ ଓପିଡ଼ି ବ୍ୟବସ୍ଥା ରହିଛି। ଏହି ମେଡିକାଲ୍‌ର ଗୃହ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି। ମାତ୍ର ଯନ୍ତ୍ରାଂଶ ନାହିଁ। ଯନ୍ତ୍ରାଂଶ ଆସିଲେ ମେଡିକାଲ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।

ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ୯ଟି ପଞ୍ଚାୟତ ବାସୀଙ୍କୁ ଚିତ୍ରକୁଣ୍ଡା ଓ ମାଲକାନଗିରି ମେଡ଼ିକାଲ, କୋରାପୁଟ ମେଡିକାଲକୁ ଯାଉଥିଲେ। ସେହି ଅସୁବିଧା ଦୂର ପାଇଁ ଏହି ମେଡିକାଲ ପ୍ରତିଷ୍ଠା ହୋଇଛି।