କଟକ ଓ ଖୋର୍ଦ୍ଧାରେ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। କଟକରେ ପ୍ରାୟ ୧୮ ଲକ୍ଷ ଓ ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାରେ ୨୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ। ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ହୋଇ ରହିବ। କଟକବାସୀଙ୍କ ପ୍ରିୟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ।

ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ୧ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଖୋର୍ଦ୍ଧା ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି। ଓଡ଼ିଆ ଜାତିକୁ ତା’ର ହକ ଦେବା ପାଇଁ ଆମର ଲଢ଼େଇ ଜାରି ରହିବ । ଚାଷୀ ହେଉ କି ମୂଲିଆ ବା ରିକ୍ସା ବାଲା  ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ।