ପଶ୍ଚିମ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ: କାର୍ଯ୍ୟ କରିବାକୁ ଚାହୁଁଥିବା ଓକିଲଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ଗତବର୍ଷ ରୁଜୁ ହୋଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଯେଉଁ ଆଇନଜୀବୀମାନେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଓ ବିଚାରପତି କେ.ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବଲପୁର ଏସ୍ପିଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଥାଉକି ସମ୍ବଲପୁରରେ ଆଇନଜୀବୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବିରୋଧରେ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ପୂର୍ବରୁ ରାଜ୍ୟ ସରକାର ଆଇନଶୃଙ୍ଖଳା ରକ୍ଷା କରିବାରେ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଠାରେ ଓକିଲଙ୍କ ଆନ୍ଦୋଳନ ଫଳରେ ଅଦାଲତରେ ମାମଲାର ଶୁଣାଣି ହୋଇ ନପାରିବା ଏବଂ ଜିଲ୍ଲା ପ୍ରଶାସନ ଅଚଳ ହେବା ଘଟଣାରେ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ମଧ୍ୟ ସତ୍ୟପାଠ ମାଧ୍ୟମରେ ଅବଗତ କରାଇବାକୁ ଅଦାଲତ କହିଥିଲେ।

ରୁଜୁ ମାମଲାରେ ଦର୍ଶାଯାଇଥିଲା ଯେ ପଶ୍ଚିମ ଓଡ଼ିଶାରେ ଏହି ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଗତ ୨୦୦୮ ଏପ୍ରିଲ ୧୫ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଏବଂ ୨୦୦୨ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଏହି ଆନ୍ଦୋଳନ ବିରୋଧାଚରଣ କରୁଛି। ସେଠାରେ ନ୍ୟାୟପାଳିକା ଚାଲି ନପାରିବା ଏବଂ ଜିଲ୍ଲା ପ୍ରଶାସନ ଅଚଳ ହୋଇପଡ଼ିଥିବାରୁ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ପ୍ରାର୍ଥନା କରାଯାଇଥିଲା।