ଭୁବନେଶ୍ବର,ଏନ୍ଏନ୍ଏସ୍: ଜାତୀୟ ଜୁନିୟର୍ ଟେନିସ୍ ସର୍କିଟରେ ଚମକ ଦେଖାଇଛନ୍ତି ଓଡ଼ିଶାର ଆରାଧ୍ୟା ବର୍ମା। ରୋହତକରେ ଅନୁଷ୍ଠିତ ଆଇଟା ଚାମ୍ପିଅନସିପ୍ ସିରିଜ୍-୭ରେ ଆରାଧ୍ୟା ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୩ଟି ଯାକ ଟ୍ରଫି ମୂଳପୋଛ କରି ଜିତି ନେବା ସହ ବିରଳ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଲଗାତାର ଭାବେ ତିନି ଲେଖାଏଁ ଟ୍ରଫି ଜିତିଛନ୍ତି। ୧୪ ବର୍ଷରୁ କମ୍ ବାଳିକା ଏକକ, ୧୬ ବର୍ଷରୁ କମ୍ ବାଳିକା ଏକକ ଏବଂ ୧୬ ବର୍ଷରୁ କମ୍ ବାଳିକା ଯୁଗଳରେ ଟ୍ରଫି ଜିତିଛନ୍ତି ଏହି କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାତ୍ରୀ।
ପଟିଆସ୍ଥିତ ଫାରହାନ୍ ଅଲୀ ଟେନିସ୍ ଏକାଡେମିରେ ପ୍ରଶିକ୍ଷିତ ଆରାଧ୍ୟା ୧୪ ବର୍ଷରୁ କମ୍ ବାଳିକା ଫାଇନାଲ୍ରେ ୬-୩, ୬-୪ରେ ହରିୟାଣାର ଖୁସୀ ଗୌରଙ୍କୁ ଏବଂ ୧୬ ବର୍ଷରୁ କମ୍ ବାଳିକା ଏକକ ଫାଇନାଲରେ ସେହି ଖୁସି ଗୌରଙ୍କୁ ୪-୬, ୬-୧, ୧୦-୩ରେ ପରାସ୍ତ କରିଥିଲେ। ଯୁଗଳ ବର୍ଗ ଫାଇନାଲ୍ରେ ଆରାଧ୍ୟା ଅଗ୍ରିମ ଜୟସ୍ବାଲଙ୍କୁ ସାଥି କରି ଅଭିକା (ହରିୟାଣା) ଓ ବୈଷ୍ଣବୀ ସିଂହ (ଦିଲ୍ଲୀ)ଙ୍କୁ ୬-୧, ୬-୪ରେ ପରାସ୍ତ କରିଥିଲେ।
ଦେବାଶିଷ ସାହୁ ଓ ସୋହିନୀ ମହାନ୍ତିଙ୍କ ପରେ ଆରାଧ୍ୟାଙ୍କ ଆବିର୍ଭାବକୁ ନେଇ ସନ୍ତୁଷ୍ଟ ତାଙ୍କ ପ୍ରଶିକ୍ଷକ ଫାରହାନ୍ ଅଲୀ କହିଛନ୍ତି ଆଗାମୀ ଦିନରେ ଆରାଧ୍ୟା ନିଶ୍ଚିତ ଉପର ସ୍ତରକୁ ଉଠିବେ।