ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି।
ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଯାତ୍ରୀମାନଙ୍କୁ ସହାୟତା ଯୋଗାଇବା ପାଇଁ ୩୦ଜଣ ସୁରକ୍ଷା ଅଫିସର ମଧ୍ୟ ଯାଇଛନ୍ତି।
ତୀର୍ଥଯାତ୍ରୀ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ।


ସୂଚନା ଯୋଗ୍ୟ ଯେ ୨୦୧୬ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୨ହଜାର ବିରଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି। ୨୦୧୯-୨୦ ବର୍ଷର ଆଉ ୩ଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ (ଜାନୁଆରୀ ୨୦୨୦), ସମ୍ବଲପୁରରୁ ଆଗ୍ରା-ମଥୁରା-ବ୍ରୁନ୍ଦାବନ (ଫେବୃଆରୀ-୨୦୨୦) ଓ ଭୁବନେଶ୍ୱରରୁ ଆହ୍ଲାବାଦ-ବନାରସ (ଫେବୃଆରୀ- ୨୦୨୦)କୁ ଭ୍ରମଣର ସୁଯୋଗ ପାଇବେ।
ଏହି କାର୍ଯ୍ୟକ୍ରମର ଉଦଘାଟନ ସମୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପର୍ଯ୍ୟଟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।